ମରଣ କାଳେ ବୀପରିତ ବୁଦ୍ଧି । କ୍ଷମତାଲୋଭୀ ବବିଙ୍କ ପାଇଁ ବିଜେଡି ଦୁଇ ଫାଳ । ୨୪ବର୍ଷର ସରକାରର ପତନ ପରେ ଦଳରେ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି,ହେଲେ ବବି ବାବୁ କିନ୍ତୁ କିଛି ବୁଝିବାକୁ ନାରାଜ । ଏଭଳି ସ୍ଥିତିରେ ବିଜେଡି ନେତାମାନେ ସଂଗଠିତ ହେବା ବଦଳରେ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି । ଆଉ ଏସବୁ ହେଉଛି କେବଳ ଧରାକୁ ସରା ମଣୁଥିବା ବବିଙ୍କ ପାଇଁ । ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ନିଜର ବଳ ଗୋଟାଇବାକୁ ଯାଇ ଦଳକୁ ସଙ୍କଟରେ ପକାଇଥିବା ଚର୍ଚ୍ଚା ହେଉଛି । କିଛିଦିନ ତଳେ ପ୍ରମିଳାଙ୍କ ଜରିଆରେ ଜିଲ୍ଲାପାଳ, ଏସ୍ପିଙ୍କୁ ସର୍କିଟ ହାଉସକୁ ଡାକି ନିଜ ଗୋଷ୍ଠୀର ନେତାଙ୍କ ସୁରକ୍ଷା ପାଇଁ ଯୋଜନା କରିଥିଲେ। ହେଲେ ଏହି ଘଟଣାଟି ଦଳକୁ ଏକାଠି କରିବା ବଦଳରେ ବିଭାଜନ ଆଡ଼କୁ ମୋଡ଼ି ଦେଇଛନ୍ତି ।
ଗତ ନିର୍ବାଚନ ବେଳେ ଟିକଟ ବଣ୍ଟନ ବିଭ୍ରାଟ ସହିତ ପରସ୍ପରକୁ ହରାଇବାକୁ ହୋଇଥିବା ଷଡ଼ଯନ୍ତ୍ରକୁ ନେଇ ଦଳୀୟ ବିବାଦ ଏବେ ଉଗ୍ରରୂପ ଧାରଣ କରିଛି। ଗତ ୧୯ ତାରିଖରେ ସର୍କିଟ୍ହାଉସରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଏସ୍ପି ଭିନିତ ଅଗ୍ରୱାଲଙ୍କ ସହ ହୋଇଥିବା ଗୁପ୍ତ ବୈଠକରେ ପ୍ରମିଳାଙ୍କ ସହିତ ବବି, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ(ଜିତୁ), ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର, ବବିଙ୍କ ଭାଇ ତଥା ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରକାଶ ଦାସ, ବଡ଼ଚଣା ବିଜେଡି ସଭାପତି ଅରବିନ୍ଦ ସାମଲ ପ୍ରମୁଖ ସାମିଲ ହୋଇଥିଲେ।
ହେଲେ ଯାଜପୁରର କିଛି ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେଇନଥିଲେ । ଯାଜପୁର ଜିଲ୍ଲାର ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ(ଡାନି), କୋରେଇର ପୂର୍ବତନ ବିଧାୟକ ଅଶୋକ ବଳ ଓ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବୈଠକରେ ନଥିଲେ।ଏହି ୪ଜଣ ପୂର୍ବତନ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ସାଧାରଣ ନିର୍ବାଚନରେ ଅମର, ସୁନନ୍ଦା ଓ ଅଶୋକଙ୍କୁ ଦଳୀୟ ଟିକଟରୁ ବଞ୍ଚିତ କରାଯିବା ଘଟଣାରେ ବବିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଏପରିକି ଡାନିଙ୍କୁ ହରାଇବାରେ ବବିଙ୍କ ଭୂମିକା ରହିଥିଲା ବୋଲି ନବୀନ ନିବାସରେ ଉଭୟ ମୁହାଁମୁହିଁ ହୋଇଥିବା ଚର୍ଚ୍ଚା ହେଉଛି। ବିଜେଡିର ପରାଜୟ ପରେ ନେତାମାନେ ଏକାଠି ହେବା ବଦଳରେ ଏଭଳି ଭାଗ ଭାଗ ହେବା ଦଳକୁ ଦୁର୍ବଳ କରୁଥିବା କୁହାଯାଉଛି ।