ଭୁବନେଶ୍ୱର: ଯୁକ୍ତ ୩ରେ ତୃତୀୟ ପର୍ଯ୍ୟାୟ ନାମ ଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ ୩ରେ ଖାଲିପଡିଥିବା ସିଟ ପୂରଣ ପାଇଁ ବକୟା ଛାତ୍ରଛାତ୍ରୀଙ୍କର ନାମ ଲେଖା ହେବ । ସାମ୍ସ ୱେବ ସାଇଟରେ ନଭେମ୍ବର ୪ ତାରିଖ ଅପରାହ୍ନ ୪ଟାରୁ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ୍ତା ୪ ତାରିଖରୁ ଆବେଦନ ଆରମ୍ଭ ହୋଇ ୧୨ରେ ସରିବ। ୧୭ ତାରିଖ ଅପରାହ୍ନ ୪ଟାରେ ପ୍ରୋଭିଜିନାଲ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ୧୮ ତାରିଖରୁ ୨୦ତାରିଖ ସନ୍ଧ୍ୟା ୫ଟା ଭିତରେ (ଛୁଟିଦିନ ବ୍ୟତୀତ) ନାମ ଲେଖାଇବେ। ନଭେମ୍ବର ୨୧ ଓ ୨୨ରେ ୱେଟିଂ ନାମଲେଖା ପାଇଁ ଆବେଦନ ଓ ୨୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ନଭେମ୍ବର ୨୮ରୁ ୨୯ ମଧ୍ୟରେ ନାମ ଲେଖାଇବେ। ରାଜ୍ୟର ମୋଟ ୧,୦୪୭ ଡିଗ୍ରୀ କଲେଜରେ ୨,୭୧,୦୯୧ ସିଟ୍ ରହିଛି। ସେଥିମଧ୍ୟରୁ ୧,୮୭,୦୫୬ ଜଣ ନାମ ଲେଖାଇଥିବା ବେଳେ ୮୪,୦୭୫ ସିଟ୍ ଖାଲି ପଡିଥିବା ଜଣାପଡ଼ିଛି ।