ନୂଆଦିଲ୍ଲୀ : ଭାରତ ସରକାର ଆୟକର ଆଇନରେ ସଂଶୋଧନ ପାଇଁ ଏକ ବିଲ୍ ଲୋକସଭାରେ ଆଗତ କରିଛନ୍ତି । ଏହି ବିଲ୍ ଗୃହୀତ ହେବା ପରେ ୨୦୧୨ରୁ ପ୍ରଚଳିତ ବିବାଦୀୟ ପିଛିଲା ଟିକସ ନିୟମର ଅବସାନ ହେବ ।
ମୌସୁମୀ ଅଧିବେଶନ ବେଳେ ସଂସଦର ଅନୁମୋଦନ ଲାଭ କରିବ। ପିଛିଲା ଟିକସ ନିୟମ ଯୋଗୁ କେର୍ଣ୍ଣସ୍ ଓ ଭୋଡାଫୋନ୍ ପରି କମ୍ପାନୀ ସହ ସରକାରଙ୍କ ବିବାଦ ସୃଷ୍ଟି ହୋଇଥିଲା। ଏବେ ଏହାକୁ ଉଚ୍ଛେଦ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଭୋଡାଫୋନ ଓ କେର୍ଣ୍ଣସ୍ ଭଳି ୧୫ଟି କମ୍ପାନୀ ଲାଭବାନ ହେବେ। ଏଥିସହ ଆଇନ ଅନୁସାରେ ସେମାନେ ଦେଇଥିବା ଟିକସ ଟଙ୍କା ମଧ୍ୟ ବିନା ସୁଧରେ ଫେରିପାଇବେ।
୨୦୧୨ରେ ପୂର୍ବତନ ଅର୍ଥମନ୍ତ୍ରୀ ( ପରବର୍ତ୍ତୀ କାଳରେ ଭାରତର ରାଷ୍ଟ୍ରପତି) ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ଆୟକର ଆଇନରେ ସଂଶୋଧନ କରାଯାଇ ଏହି ବିବାଦୀୟ ଟିକସ ଆଦାୟ ନିୟମକୁ ଆରମ୍ଭ କରାଯାଇଥିଲା ।
ଏହି ନିୟମ ଅନୁସାରେ ଆୟକର ବିଭାଗ ପକ୍ଷରୁ ଭୋଡ଼ାଫୋନ ଓ କାର୍ନ ଏନର୍ଜିକୁ ଟିକସ ନୋଟିସ ପଠାଇଥିଲେ । ଏହା ବିରୋଧରେ ଉଭୟ କମ୍ପାନି ଅନ୍ତର୍ଜାତୀୟ ଆର୍ବିଟ୍ରେସନ ଟ୍ରିବୁନାଲର ଆଶ୍ରୟ ନେଇଥିଲେ । ମାମଲାର ବିଚାର କରି ଟ୍ରିବୁନାଲ ଉଭୟ କମ୍ପାନିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ।