କୋଭିଡ କଟକଣାକୁ ଭଙ୍ଗ କଲା ସରକାରୀ ଦଳ

(ଦିଲ୍ଲୀପ ସାହୁ / ଜଗତସିଂହପୁର): ତିର୍ତ୍ତୋଲ ଉପନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କାର୍ୟ୍ୟକ୍ରମ ଚାଲିଛି। ବିଜୁ ଜନତା ଦଳ କୋଭିଡ କଟକଣାକୁ ଫୁ କରି ଅନେକ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଆୟୋଜନ କରିବା ଘଟଣା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
କୋଭିଡ କଟକଣାରେ ହେବାକୁ ଯାଉଥିବା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ରାଜନୈତିକ ଦଳକୁ ସ୍ୱତନ୍ତ୍ର କୋଭିଡ ଗାଇଡ ଲାଇନ ମାନି ନିର୍ବାଚନ ପ୍ରଚାର କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଶାସକ ବିଜୁ ଜନତା ଦଳ କଟକଣାକୁ ଫୁ କରି ଉଡାଇଦେବା ଘଟଣା ଘରେ ନପଶୁଣୁ ଚାଳବାଜିବା ପରି ହୋଇଛି। ଶାସକ ଦଳ ପକ୍ଷରୁ ତିର୍ତ୍ତୋଲ ବ୍ଲକର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର, କର୍ମୀ ସମାବେଶ ଓ ମିଶ୍ରଣ ପର୍ବ କରାଯାଇଥିବା ଦେଖିବାକୁ ମିଳିଛି। ତିର୍ତ୍ତୋଲ ବ୍ଲକ ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତ,ଦାଇଁଲୋ ପଞ୍ଚାୟତ ପୋସଲ ଲଙ୍ଗଳାମଠ,କନିମୁଳ ପଞ୍ଚାୟତର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶ ପୁଣି ବିଜେଡି ବିଧାୟକ ଜନ୍ମେଜୟ ଲେଙ୍କା, ଦଳୀୟ ସଂପାଦକ ଇଂ ପ୍ରମୋଦ କିଶୋର ଜେନାଙ୍କ ତତ୍ତ୍ୱବଧାନରେ ହେଉଛି । ସୋରଡା ବିଧାୟକ ପୁର୍ଣ୍ଣ ସ୍ୱାଇଁ, ପାରାଦ୍ୱୀପ ପୁର୍ବତନ ପୌରାଧ୍ୟକ୍ଷ ତଥା ବିଜେଡି ସଂଗଠକ ବସନ୍ତ କୁମାର ବିଶ୍ୱାଳ,ବସନ୍ତ କୁମାର ମହାପାତ୍ର,ଅଶ୍ୱିନୀ ଦାସ,ରଜତ ପାତ୍ର,ଗଙ୍ଗାଧର ବିଶ୍ୱାଳ,ବିମଳ ମହାପାତ୍ର ପ୍ରମୁଖ ନେତା ଓ ବିଜେଡି ଛାମୁଆଁ ମାନେ ତିର୍ତ୍ତୋଲ, କନକପୁର ଓ ମୁଳିସିଂ ପଞ୍ଚାୟତର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିଥିବା ଦେଖିବାକୁ ମିଳିଛି।