ମହଣ ମହଣ ସୁନା ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୁରତୀ

0

ପୁରୀ: ସୁନାରେ ଝଲସୁଛନ୍ତି ମହାବାହୁ । ରଥ ଉପରେ ମହଣ ମହଣ ସୁନା ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୁରତୀ । ଏହି ବେଶକୁ ଟିକେ ଦର୍ଶନ କରିବାକୁ ବ୍ୟାକୁଳ ଶ୍ରଦ୍ଧାଳୁ । ମଥାରେ ସୁନାର କିରିଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ। କମରରେ ସୁନାର କମରପଟି, ପାଦରେ ଶ୍ରୀପୟର। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହସ୍ତରେ ସୁବର୍ଣ୍ଣର ହଳମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି(କର୍ଣ୍ଣାଳଙ୍କାର)। ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ୟ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ। ଧରାପୃଷ୍ଠରେ ଆଜି ଏଭଳି ମାନବୀୟ ଲୀଳା ଖେଳିଛନ୍ତି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର। ପାଦରୁ ମସ୍ତକ ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦେଇଛନ୍ତି ଦର୍ଶନ। ମହାବାହୁଙ୍କୁ ମନଭରି ଦେଖିବାପାଇଁ ଆତୁର ଭକ୍ତ ବି ଏହି ଅପୂର୍ବ ରୂପ ଦର୍ଶନ କରି ଅଭିଭୂତ ହୋଇଛନ୍ତି। ଏଥିପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶର ଦର୍ଶନ ପାଇ କୃତାର୍ଥ ମଣିଛନ୍ତି। ସକାଳୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି। ସନ୍ଧ୍ୟା ହୋଇଯାଇଥିବାରୁ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି।
ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକ ରୁ ବାରିକେଟ ଦେଇ ଭକ୍ତ ମାନେ ଅସେିବା ସହ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ଦର୍ଶନ କରି ବାହାରକୁ ବାହାରିବେ । ଶୃଙ୍ଖଳିତ ଭାବେ ସୁନାବେଶ ଦର୍ଶନ ପାଇଁ ରଥ ଉପରେ ସେବାୟତ ମାନେ ବିଗ୍ରହ ସମ୍ମୁଖରେ ନ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଭିଡ ପରିଜାଳନା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ମୁତୟନ କରାଯାଇଛି ୧୯୦ ପ୍ଲାଟୁନ ପୋଲିସ ଫୋର୍ସ । ରାତି ୧୦ଟା କିମ୍ବା ୧୧ଟା ପର୍ଯ୍ୟନ୍ତ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ।