ବଣ୍ଡା ଘାଟିରେ ଖୋଲିଲା ପ୍ରଥମ ମୁକ୍ତାକାଶ ପାଠାଗାର

ମାଲକାନଗିରି/ ସୂର୍ଯ୍ୟକାନ୍ତ ବେହେରା: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଖୋଲିଲା ପ୍ରଥମ ମୁକ୍ତାକାଶ ପାଠାଗାର । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟି ସ୍ଥିତ ମୁଦୁଲିପଡା ଠାରେ ବଡ ଦିଦି ସ୍ଵେଛାସେବି ଅନୁଷ୍ଠାନର କର୍ମକର୍ତ୍ତା ଓ ସ୍ଥାନୀୟ ଯୁବତୀଙ୍କ ପ୍ରୟାସରେ ପ୍ରଥମ ମୁକ୍ତାକାଶ ପାଠାଗାର ଖୋଲାଯାଇଛି ।ଏହି ପାଠାଗାର ରେ ଅନେକ ପ୍ରକାରର ପୁସ୍ତକ ମାନ  ସ୍ଥାନ ପାଇଥିବାବେଳେ ଏହା ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢାଇବାରେ ସହାୟକ ହେବ ବୋଲି ସଙ୍ଗଠନ ଆଶା ରଖିଛି । ତେବେ ଏହି ଅଞ୍ଚଳ ଦୁର୍ଗମ ଓ ପଛୁଆ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ବେଳେ ଏଠାରେ ଶିକ୍ଷାର ବିକାଶ ପାଇଁ ସରକାର ନାନା ପଦକ୍ଷେପ ନେଇଛନ୍ତି । ତଥାବି ଅଞ୍ଚଳରେ ଉପଯୁକ୍ତ ସୁବିଧା ତଥା ନେଟୱାର୍କ ସମସ୍ଯା, ଉପପଯୁକ୍ତ ପୁସ୍ତକ ନମିଳିବା କାରଣରୁ ଅନେକ ପିଲା ଶିକ୍ଷା ଠାରୁ ଦୂରେଇ ଯାଉଥିବା ଦେଖିବାକୁ ମିଳିଛି । ତେଣୁ ଏଭଳି ସ୍ଥିତିରେ ବଣ୍ଡା ଯୁବକ ଯୁବତୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଠ କରିବା ସହ ସେମାନଙ୍କୁ ବିଭିନ୍ନ ପୁସ୍ତକ ମାଧ୍ୟମରେ ଜ୍ଞାନ ଆହୋରଣ କରାଇବା ପାଇଁ ବଡଦିଦି ଅନୁଷ୍ଠାନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ମୁକ୍ତାକାଶ ପାଠାଗାରକୁ ସ୍ଥାନୀୟ ଅଞ୍ଚଳର ବଣ୍ଡା ମହିଳାଙ୍କ ଦ୍ବାରା ଉଦ୍ଘାଟନ କରାଯାଇଥିବା ବେଳେ ଆଗାମୀ ଦିନରେ ଏଥିରେ ଆହୁରି ଅଧିକରୁ ଅଧିକ ପୁସ୍ତକ ସ୍ଥାନିତ କରିବା ପାଇଁ ଏହି ସଙ୍ଗଠନ ନିଜର ପ୍ରୟାସ ଜାରି ରଖିଥିବା ସଙ୍ଗଠନର ସଦସ୍ୟା ଜୟନ୍ତୀ ବୁରୁଦା ପ୍ରକାଶ କରିଛନ୍ତି।