ଭୁବନେଶ୍ବର: ସାମାନ୍ୟ ୫ ହଜାର ଟଙ୍କା ପାଇଁ ନିଜ ଛୁଆକୁ ବିକିଦେଲା ନୃଶଂସ ବାପା । ଅଭିଯୋଗ ଆଣିଛନ୍ତି ଛୁଆର ମା । ଏ ନେଇ ନୃଶଂସ ବାପା ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ । ସୂଚନାନୁଯାୟୀ ଭୁବନେଶ୍ୱର ଇସନେଶ୍ୱର୍ ବସ୍ତିରେ ରୋଜି ରାଓ ଓ ସେକ ମୁସିବୁଲ ୧୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ରୋଜିର ସ୍ବାମୀ ସେକଙ୍କ ଘର କୋଲକାତାର ମେଦିନୀପୁରରେ ଓ ସେ ଭୁବନେଶ୍ୱରରେ ରହି ମିସ୍ତ୍ରୀ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା । ସେମାନଙ୍କର ଦୁଇ ପୁଅ ସେକ ରୋହିତ (୮ବର୍ଷ) ଓ ସେକ ମୁସ୍ତାକ (୬ବର୍ଷ) ।
ସୂଚନା ଅନୁସାରେ, ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହୁଥିଲା ଝଗଡ଼ା । ରୋଜିର ସ୍ବାମୀ ସେକ୍ ଘର ଛାଡ଼ି ଚାଲିଯାଇଥିଲେ । ଏହାର ୩ ମାସ ପରେ ସ୍ଵାମୀ ଅଚାନକ ରୋଜି ଘରେ ନଥିବା ସମୟରେ ଦୁଇ ପୁଅ ସହ ନିଜର କିଛି କାଗଜପତ୍ର ଓ ଛୁଆଙ୍କ ଡ୍ରେସ୍ ନେଇ ଘରୁ ପଳାଇ ଯାଇଥିଲା । ଅନେକ ଜାଗାରେ ପୁଅକୁ ଖୋଜାଖୋଜି କରିଥିଲେ ରୋଜି ହେଲେ ସ୍ବାମୀ ଓ ପିଲା ର କିଛି ପତ୍ତା ମିଳିନଥିଲା ।
ଏବେ ରୋଜି ଜାଣିବାକୁ ପାଇଲେ ଯେ ସାନ ପୁଅକୁ ପାଖରେ ରଖି ବଡ ପୁଅକୁ ଭଦ୍ରକ ଧାମନଗରରେ ଜନୈକ ବ୍ୟକ୍ତିକୁ ୫ ହଜାର ଟଙ୍କାରେ ବିକ୍ରି କରିଛି ସ୍ବାମୀ ସେକ୍ । ଏହା ପରେ ରୋଜି ଧାମ ନଗର ଯାଇ ବିକ୍ରି କରିଥିବା ବ୍ୟକ୍ତିଙ୍କ ଘରେ ପହଞ୍ଚି ପୁଅ କୁ ଭେଟିଥିଲେ । କିନ୍ତୁ ଏହା ପରେ ଧାମନଗର ପୋଲିସ ରେ ଅଭିଯୋଗ କରି ଗତ ୧୯ ତାରିଖ ରେ ଗଲା ବେଳକୁ ପୁଅକୁ ଲୁଚାଇ ଦିଆଯାଇଥିଲା। ସେଠାରେ ଧାମନଗର ପୋଲିସର ମଧ୍ୟ ସହଯୋଗ ନ ମିଳିବାରୁ ରୋଜି କାନ୍ଦି କାନ୍ଦି ଭୁବନେଶ୍ୱର ରେ ପହଞ୍ଚି ଚନ୍ଦ୍ର ଶେଖର ପୂର୍ ଥାନା ରେ ଅଭିଯୋଗ କରିଛନ୍ତି । ଏହି ଖବର ପାଇ ଚାଇଲ୍ଡ ଲାଇନ୍ ର ସଦସ୍ୟା ରୋଜିଙ୍କୁ ଭେଟି ଘଟଣା ବୁଝିଛନ୍ତି । ଏହା ପରେ ରୋଜି କୁ ସାଙ୍ଗରେ ନେଇ ଚନ୍ଦ୍ର ଶେଖରପୁର ଥାନାରେ ଏହାର ବିଧିବଦ୍ଧ ତଦନ୍ତ କରିବା ଦାବି କରିବା ସହ ରୋଜି ର ଦୁଇ ଛୁଆକୁ ଉଦ୍ଧାର କରିବାକୁ ପୋଲିସ ସହ ଆଲୋଚନା କରିଛନ୍ତି ।