ବ୍ରହ୍ମପୁର: ପଶ୍ଚିମବଙ୍ଗ ସାନ୍ତ୍ରାଗାଚ୍ଛିର ମୂଳନିବାସୀ ଜ୍ୟୋତିର୍ମୟ ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧରେ ସିଭିଲ୍ ଷ୍ଟାଫ୍ ଭାବେ କାମ କରୁଛନ୍ତି। ସେ ୧୫ଦିନ ଛୁଟିରେ ଘରକୁ ଯାଇଥିଲେ। ସେମାନେ ସାନ୍ତ୍ରାଗାଚ୍ଛି ଷ୍ଟେସନ୍ରୁ କରମଣ୍ଡଳ ଟ୍ରେନ୍ରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ଜ୍ୟୋତିର୍ମୟଙ୍କ ପତ୍ନୀ ଓ ଝିଅ ବି-୬ କୋଚ୍ର ୧୮,୧୯ ଓ ୨୪ ନମ୍ବର ବର୍ଥରେ ଥିଲେ। ଏହି କୋଚ୍ରେ ଟ୍ରେନ୍ର ଶେଷରେ ଥିଲା। ପତ୍ନୀ ଅପର୍ ବର୍ଥରେ ଥିବା ବେଳେ ଝିଅ ସାଇଡ୍ ଅପର୍ ବର୍ଥରେ ଥିଲେ। ଜ୍ୟୋତିର୍ମୟ ଲୋୟର୍ ବର୍ଥରେ ଥିଲେ ବୋଲି କହିଛନ୍ତି। ବାଲେଶ୍ବର ଷ୍ଟେସନ୍ ଛାଡ଼ିବା ପରେ ବାହାନଗା ନିକଟରେ ପ୍ରାୟ ୭ଟା ସମୟରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବଗିରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯିବାରୁ ତାଙ୍କର ଝିଅ କିଛି ସମୟ ପାଇଁ ବଗିରେ ନିଖୋଜ ହୋଇ ଯାଇଥିଲେ। କିଛି ଯାତ୍ରୀ ପାଟିକରି କହିଲେ ଟ୍ରେନ୍ ଦୁର୍ଘଟଣା ହେଲା, ଲୋକ ମରିଗଲେ, ବଞ୍ଚାଅ ବୋଲି ରଡ଼ି ଛାଡ଼ିଲେ। ପରେ ବାହାରକୁ ବାହାରି ଦେଖିବା ବେଳକୁ ସମ୍ପର୍ଣ୍ଣ ଅନ୍ଧକାର। ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜାଣି ଛାତି ଥରି ଉଠିଥିଲା ବୋଲି କହିଛନ୍ତି ଜ୍ୟୋତିର୍ମୟ ହାଇତ।
ପରେ ଝିଅକୁ ପାଇଥିଲେ। ଝିଅ ଓ ପତ୍ନୀଙ୍କୁ ଧରି ଟ୍ରେନ୍ରୁ ଓହ୍ଲାଇ ଦେଖିବା ପରେ ଚାରିଆଡ଼େ ଅନ୍ଧାର ଦେଖା ଯାଉଥିଲା। ଯାତ୍ରୀମାନେ ମୋବାଇଲ୍ ଟର୍ଚ ଲାଇଟ୍ ଲଗାଇ ନିଜର ସମ୍ପର୍କୀୟଙ୍କୁ ସୁରକ୍ଷିତ ଭାବେ ସେଠାରୁ ନେବାକୁ ଉଦ୍ୟମ କରୁଥାନ୍ତି। କିନ୍ତୁ ପାର୍ଶ୍ବରେ ଥିବା ଅନ୍ୟ ଏକ ଟ୍ରାକ୍ର ଦୁଇଟି ବଗି ଓଲଟି ପଡ଼ିଥିବା ବେଳେ ସେଠାରୁ ଲୋକଙ୍କ ଚିତ୍କାର ଶୁଭୁଥିଲା। ଯାତ୍ରୀମାନେ ନିଜର ନିଜର ସମ୍ପର୍କୀୟଙ୍କୁ ଉଦ୍ଧାର କରି ନେଉଥାନ୍ତି। ଆମେ ମଧ୍ୟ ସୁରକ୍ଷିତ ଥିବାରୁ ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲୁ। ମା’-ବାପାଙ୍କ ଆଶୀର୍ବାଦ ଓ ଭଗବାନଙ୍କ କୃପାରୁ ଆମେ ସୁରକ୍ଷିତ ରହିଥିଲୁ ବୋଲି କହିଛନ୍ତି ଜ୍ୟୋତିର୍ମୟ। ସେମାନେ ବସ୍ ଯୋଗେ ଭୁବନେଶ୍ବର ଆସିଥିଲେ। ସେଠାରୁ ପୁଣିଥରେ ବସ୍ରେ ବ୍ରହ୍ମପୁର ଆସି ଗତକାଲିର ଛାତିଥରା ଦୃଶ୍ୟ ବୟାନ୍ କରିଛନ୍ତି ଜ୍ୟୋତିର୍ମୟ।