କେନ୍ଦୁଝର-: ସ୍ବପ୍ନ ଥିଲା ପାଠପଢ଼ି ବଡ଼ଲୋକ ହେବ । ହେଲେ ସ୍ବପ୍ନ ସାକାର ହେବା ପୂର୍ବରୁ ହତ୍ୟାର ଶିକାର ହୋଇଛନ୍ତି ଦଶମ ଶ୍ରେଣୀର ଛାତ୍ର । ଛାତ୍ରାବାସରେ ରହି ସମର କୋର୍ସ କରୁଥିବା ଜଳଧରଙ୍କୁ ଛାତ୍ରଙ୍କ ତିନିଜଣ ସହପାଠୀ କମ୍ବଳ ପକାଇ ମାଡ଼ିବସିବା ସହ ଗାମୁଛାରେ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଛାତ୍ରମାନଙ୍କୁ ଅଟକ ରଖି ପଚରାଉଚରା କରୁଛି । କଲେଜରେ ପତିଆରା ବୃଦ୍ଧିକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।
କେନ୍ଦୁଝର ସହର ସ୍ଥିତ ଏକ ରେସିଡେନସିଆଲ କଲେଜ ହଷ୍ଟେଲରେ ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣା । ଜଣେ ଛାତ୍ରଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ପାଟଣା ଥାନା ଟାଙ୍ଗରପଡା ଗ୍ରାମର ଜଗବନ୍ଧୁ ମହାନ୍ତଙ୍କ ପୁଅ ଜଳଧର ମହାନ୍ତ । ଯାହା ସୂଚନା ମିଳିଛି, ଏହି ରେସିଡେନ୍ସିଆଲ କଲେଜ ହଷ୍ଟେଲରେ ରହି ସମର କୋର୍ସ କରୁଥିଲେ ଜଳଧର । ହେଲେ ଗତକାଲି ରାତିରେ ରାତ୍ରୀ ଭୋଜନ ପରେ ଶୋଇଥିବା ଅବସ୍ଥାରେ ହଠାତ ତାଙ୍କର ଜୀବନ ଚାଲିଯାଇଥିଲା । ସକାଳେ ତାଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହୋଇଥିଲା । ହୃଦ୍ଘାତରେ ଜଳଧରଙ୍କ ମୃତ୍ୟୁ ହୋଇଛି ବୋଲି କିଏ କହୁଥିଲା, ତ ଆଉ କିଏ ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି କହୁଥିଲେ।
ଜଳଧରଙ୍କ ମୃତ୍ୟୁକୁ ନେଇ ତୁରନ୍ତ ଖବରପାଇ କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଁଚି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ପ୍ରଥମିକ ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା ।
ପୋଲିସ ସୂଚନା ଅନୁସାରେ, ଜଳଧର ୧୫ଦିନ ତଳେ ଛାତ୍ରାବାସକୁ ଆସିଥିଲେ । କିଛି ସହପାଠୀଙ୍କ ସହିତ ସାମାନ୍ୟ କଥାକୁ ନେଇ ତାଙ୍କର ମତଭେଦ ଥିଲା । ମୁଖ୍ୟ ଅଭିଯୁକ୍ତ ଶ୍ରେଣୀର ମନିଟର ଥିବାବେଳେ ଜଳଧର ତା’ର କୌଣସି କଥାକୁ ମାନୁ ନଥିଲେ। ସେହିପରି କଲେଜ ବସ୍ରୁ ଓହ୍ଲାଇବା ବେଳେ କମେଣ୍ଟମରାକୁ କେନ୍ଦ୍ରକରି ସମ୍ପୃକ୍ତ ଛାତ୍ରଜଣକ ଉତ୍ତ୍ୟକ୍ତ ଥିଲା। ଯାହା ପରବର୍ତ୍ତୀ ସମୟରେ ହତ୍ୟାକାଣ୍ଡର ରୂପ ନେଇଥିଲା ।
ଗତକାଲି ବିଳମ୍ବିତ ରାତିରେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇଜଣ ଛାତ୍ର ମିଳିତ ଭାବେ ଜଳଧରଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କେନ୍ଦୁଝର ଟାଉନ ଥାନା ଅଧିକାରୀ ଘଟଣାର ତଦନ୍ତ କରି କେସ୍ ନମ୍ବର ୨୨୭/୨୦୨୫ରେ ଏକ ମାମଲା ରୁଜୁ କରିଛନ୍ତି । ତିନି ଛାତ୍ରଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ସମସ୍ତଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପୋଲିସ କହିଛି ।