ସୁବର୍ଣ୍ଣପୁର: ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ବହୁବିଧ ପଦକ୍ଷେପ ନିଆଯାଉଛି । ଗୁରୁବାର ବିନିକା ବ୍ଲକ ଫୁଲମୁଠି ଓ ଚରଦା ଗ୍ରାମରେ ୨ ଜଣ ନାବାଳିକାଙ୍କ ବିବାହ ସ୍ଥିରୀକୃତ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଙ୍ଗନୱାଡି କର୍ମୀ, ଆଶା, ଚାଇଲ୍ଡ ଲାଇନ, ସରପଞ୍ଚ, ଗାଁ ବିଦ୍ୟାଳୟର ଶିକ୍ଷକ, ସେକ୍ଟର ସୁପରଭାଇଜର, ପୋଲିସ ପ୍ରମୁଖ ନାବାଳିକାଙ୍କ ଘରକୁ ଯାଇଥିଲେ । କିଶୋରୀ ବାଳିକାଙ୍କୁ ୧୮ ବର୍ଷ ପୂର୍ବରୁ ବିବାହ କରାଇଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ପରାମର୍ଶ ଦେଇଥିଲେ। ବାହାଘର ବନ୍ଦ କରିବା ସଂଗେ ସଂଗେ ଉଭୟ ଝିଅଙ୍କୁ ଉଦ୍ଧାର କରି ଜିଲ୍ଳା ଶିଶୁ ମଙ୍ଗଳ ସମିତିରେ ପହଞ୍ଚାଇଥିଲେ। ବର୍ତ୍ତମାନ ଜିଲ୍ଲାର ସଖୀ ସେଣ୍ଟରରେ ଝିଅ ଦ୍ବୟଙ୍କୁ ଥଇଥାନ କରାଯାଇଛି। ଝିଅ ଦ୍ବୟଙ୍କୁ ଆଗକୁ ପଢ଼ିବାର ପରାମର୍ଶ ସହ ବୈଷୟକ ତାଲିମ ଦେବା ନିମନ୍ତେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ଆକ୍ସନ ହେଡ୍ ବୁଝାଇଥିଲେ। ଝିଅ ଦ୍ବୟ ମଧ୍ୟ ୧୮ ବର୍ଷ ପୂରଣ ହେଲେ ହିଁ ବିବାହ କରିବେ ବୋଲି ସହମତି ପ୍ରଦାନ କଲେ ଏବଂ ବୈଷୟିକ ଶିକ୍ଷା ଗ୍ରହଣ କରିବେ ବୋଲି ଝିଅ ଦ୍ବୟଙ୍କ ବାପା ମାଆ ମଧ୍ୟ ଝିଅଙ୍କ ଶିକ୍ଷା ପ୍ରତି ଧ୍ୟାନ ଦେବେ ବୋଲି କହିଥିଲେ।