ନୂଆଦିଲ୍ଲୀ : ଛାତି ଥରାଇ ଦେଇଛି ତୁର୍କୀ ଓ ସିରିଆରେ ଘଟିଥିବା ଭୂକମ୍ପ । ସେହି ଭୂକମ୍ପ ଏତେ ଶକ୍ତଶାଳୀ ଥିଲା ଯେ, ବଡ ବଡ ଅଟ୍ଟାଳିକାକୁ ଚୁରମାର କରିଦେଇଥିଲା । ଯୋଉଁଥି ପାଇଁ ଧ୍ୱଂସ ବିଧ୍ୱଂସ ହୋଇଛି ତୁର୍କୀ ଓ ସିରିଆ । ଏବେ ପର୍ଯ୍ୟନ୍ତ ବି ଲୋକଙ୍କୁ ସଠିକ ଭାବରେ ଉଦ୍ଧାର କରାଯାଇପାରି ନାହିଁ । ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନେକ ଅଟ୍ଟାଳିକା ତଳେ ଏବେ ମଧ୍ୟ ଦବି ରହିଛନ୍ତି ହଜାର ହଜାର ଲୋକେ । ସେପଟେ ବଢିଚାଲିଛି ମୃତ୍ୟ ଓ ଆହତଙ୍କ ସଂଖ୍ୟା। ଏଯାଏଁ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡିଛି । ଏହାସହ ଆହତଙ୍କ ସଂଖ୍ୟା ୮୦ ହଜାର ପାର୍ ହୋଇଛି । ମୃତାହତଙ୍କ ସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଏହାମଧ୍ୟରେ ତୁର୍କୀର ଭିନ୍ନ ଭିନ୍ନ ସହରରେ ବାରମ୍ବାର ଭୂକମ୍ପ ଝଟକା ଅନୁଭବ କରାଯାଉଛି । ୟୁଏସଜିଏସ ରିପୋର୍ଟ ଅନୁଯାୟୀ, ରାତି ୧୨ଟା ପରେ ସକାଳ ସାତଟା ୧୪ ମିନିଟ୍ ମଧ୍ୟରେ ଭିନ୍ନ ଭିନ୍ନ ସମୟରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଏହାର ତିବ୍ରତା ୪.୪ ରୁ ୪.୫ ରେକର୍ଡ କରାଯାଇଛି ।