ମାହାଙ୍ଗା : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ତଦନ୍ତ ରିପୋର୍ଟକୁ ନେଇ କ୍ଷୁବ୍ଧ ହୋଇଛନ୍ତି କୋର୍ଟ । ମାହାଙ୍ଗା ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜେଏମସି କୋର୍ଟ । ଏନେଇ ଆଜି ସାନି ତଦନ୍ତ ରିପୋର୍ଟ ମିଳିନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହ ତଦନ୍ତ ଷ୍ଟେଟସ୍ ରିପୋର୍ଟ ଓ ତିନି ସଂପୃକ୍ତଙ୍କ ସିଡିଆର ମାଗିଛନ୍ତି ମାହାଙ୍ଗା ପୋଲିସକୁ । ମାହାଙ୍ଗା ଡବଲ ମର୍ଡର ରେ ମନ୍ତ୍ରୀ ପ୍ରତାପ ଜେନା ସଂପୃକ୍ତ ଅଭିଯୋଗ ହୋଇଥିଲା । ଏତଲା ଥାଇ ଚାର୍ଜସିଟରେ ନାମ ନଥିବାରୁ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପ୍ରୋଟେଷ୍ଟ ପିଟିସନ ଆଧାରରେ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଅଗଷ୍ଟ ମାସରୁ ନିର୍ଦ୍ଦେଶ ଦେଇଥିଲେ ବି ରିପୋର୍ଟ ନମିଳିବାରୁ କ୍ଷୁବ୍ଧ ହୋଇଛନ୍ତି କୋର୍ଟ । ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରି ୨ ତାରିଖ ରାତିରେ ମାହାଙ୍ଗାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ କୁଳମଣିଙ୍କ ପୁଅ ତଥା ନୁର୍ତ୍ତାଙ୍ଗ ସମିତିସଭ୍ୟ ରମାକାନ୍ତ ବରାଳଙ୍କ ପକ୍ଷରୁ ମନ୍ତ୍ରୀଙ୍କ ସମେତ ୧୩ ଜଣଙ୍କ ନାମରେ ଏତଲା ଦିଆଯାଇଥିଲା। ଏହି ଘଟଣାରେ ଏଯାଏ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ କୁମାର ବିଶ୍ବାଳର ମୃତ୍ୟୁ ହୋଇଯାଇଛି। ଏହି ଘଟଣାକୁ ନେଇ ବିଜେପି ଜୋରଦାରା ଆନ୍ଦୋଳନ କରିଥିଲା। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା।