ବନ୍ୟା ପରିସ୍ଥିତିକୁ ପରଖିବା ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଗଜପତି ଜିଲ୍ଲାକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ
ଗଜପତି:- ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ସ୍ଥିତି ବେହାଲ ହୋଇଯାଇଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇ ଅନେକ ଅଞ୍ଚଳ ଜଳ ମଗ୍ନ ହେବାର ଆଶଙ୍କା ଦେଖା ଦେଇଛି । ଜିଲ୍ଲାର ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି । ସ୍ଥିତି ପରଖିବା ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାକୁ ପଠାଇଛନ୍ତି । ବନ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ଏବଂ ତୁରନ୍ତ ସହାୟତା ପ୍ରଦାନ ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଜିଲ୍ଲାର ଅନେକ ସ୍ଥାନରେ ପାହାଡରୁ ମାଟି ଖସି ଯାତାୟତ ବାଧାପ୍ରାପ୍ତ ହୋଇଛି । କେଉଁଠି ରାସ୍ତା ଧୋଇଯାଇଛି ତ କେଉଁଠି ବ୍ରିଜ ଉପରେ ପାଣି ଚାଲୁଚି । ସେହିପରି ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକର ଭ୍ରମରପୁର ବ୍ରିଜର ଅସ୍ଥାୟୀ ରାସ୍ତା ଉପରେ ଚାରି ଫୁଟ ପାଣି ପ୍ରବାହିତ ହୋଇ ପାତ୍ରପୁର ବ୍ଲକର ତୁରୁବୁଡି ଓ ଖରିଆଗୁଡ଼ାକୁ ଗମନାଗମନ ବିଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି ବଂଶଧାରା । ତେଣୁ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି ।