ବରିଷ୍ଠ ସାମ୍ବାଦିକଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପରଲୋକ ରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର। କିଛିଦିନ ଧରି ସେ ଅସୁସ୍ଥ ଥିଲେ । ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରକାଗଜରୁ ସାମ୍ବାଦିକ କ୍ୟାରିୟର ଆରମ୍ଭ କରିଥିବା ସ୍ବର୍ଗତ ମହାପାତ୍ରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରଙ୍ଗ ଶାସନରେ । ବାଣପୁର ଗୋଦାବରୀଶ ବିଦ୍ୟାପୀଠର ଛାତ୍ର ବାସୁଦେବ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କରିବା ପରେ ୧୯୯୫ ମସିହାରେ ଆରମ୍ଭ ଖବରକାଗଜରେ ଯୋଗଦାନ କରିଥିଲେ । କେବଳ ଖବରକାଗଜ ନୁହେଁ, ଟିଭି ସାମ୍ବାଦିକତାରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା । ସେ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ କାମ କରି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି । ମୁଖ୍ୟତଃ ସମାଜର ଗରିବ ଏବଂ ଦଳିତ ବର୍ଗର ଜୀବନଜୀବିକା, ଓ ସମସ୍ୟା ସମ୍ପର୍କରେ ବଳିଷ୍ଠ ରିପୋର୍ଟିଂ କରିବାରେ ସେ ସିଦ୍ଧହସ୍ତ ଥିଲେ । କେବଳ ସେତିକି ନୁହେଁ, ପରିବେଶ, ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ସାରଗର୍ଭକ ନିବନ୍ଧ ଚରନା କରି ବେଶ୍ ଆଦୃତ ହୋଇଥିଲେ ସ୍ବର୍ଗତ ମହାପାତ୍ର ।

                                         

 

ତାଙ୍କର ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଏହା ଏକ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।