ରାଞ୍ଚି: ଝାଡଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରଣନୀତି ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଛି। ସମସ୍ତ ୟୁପିଏ ବିଧାୟକଙ୍କୁ ଏକଜୁଟ କରି ବିଜେପିକୁ ଟାର୍ଗେଟ କରିବା ସହ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସେପ୍ଟେମ୍ବର ୫ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏଥିପାଇଁ ଦଳ ପକ୍ଷରୁ ୬ଟି ଯୋଜନା ପ୍ରସ୍ତୁତ କରାଯାଇଛି। ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡାକିବା ପୂର୍ବରୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମେତ ୟୁପିଏର ସମସ୍ତ ବିଧାୟକ ଭେଟିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ପରେ ସେ ଇସ୍ତଫା ଦେଉଥିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଇସ୍ତଫା ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ଅଗ୍ରାହ୍ୟ କରିଦେଇଛନ୍ତି। ସମସ୍ତ ନିଷ୍ପତ୍ତି ରାଜ୍ୟପାଳଙ୍କ ଉପରେ ଛାଡି ଦେଇଛନ୍ତି। ରାଜ୍ୟରେ ଜେଏମଏମ-କଂଗ୍ରେସ ମେଣ୍ଟ ସରକାରରେ ଅସ୍ଥିରତା ସୃଷ୍ଟି ଲାଗି ବିଜେପିର ଉଦ୍ୟମ ଜାରି ରଖିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ କହିଛନ୍ତି।
ତେବେ ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୫ରେ ଡାକିଥିବା ସ୍ୱତନ୍ତ୍ର ଅଧିବେଶନ ଉପରେ ସମସ୍ତଙ୍କର ନଜର ରହିଛି। ଯଦି ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତାକୁ ରଦ୍ଦ କରନ୍ତି। ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେବେ। ପରେ ୟୁପିଏ ମେଣ୍ଟ ଏକ ବୈଠକ ଡାକି ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ। ପରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବିଧାୟକ ଭାବେ ନିର୍ବାଚିତ ହେବେ। ଏଥି ସହିତ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଯଦି ସୁପ୍ରିମକୋର୍ଟ ହେମନ୍ତ ସୋରନଙ୍କ ନିର୍ବାଚନ ଲଢିବାକୁ ରୋକ ଲଗାନ୍ତି ତାହାଲେ ପ୍ରଥମେ ଜେଏମଏମ ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯିବ। ବୈଠକରେ ନୂତନ ନେତା ନିର୍ବାଚିତ ହେବେ। ଶିବୁ ସୋରେନଙ୍କ ପରିବାରର ଜଣେ ସଦସ୍ୟ ନେତା ଭାବେ ନିର୍ବାଚିତ ହେବେ। ଏହାପରେ ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି କରିପାରିବେ।
ସେପଟେ ରାଜ୍ୟପାଳଙ୍କ ଅଫିସରୁ ତଥ୍ୟ ଲିକ ହୋଇଥିବାରୁ ରାଜନୈତିକ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିବା ହେଉଛି ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ପତ୍ର ମାଧ୍ୟମରେ ଜଣାଛିନ୍ତି। ତେବେ ରାଜଭବନରୁ କୌଣସି ତଥ୍ୟ ଲିକ ହୋଇନାହିଁ ବୋଲି ରାଜ୍ୟପାଳ ସୂଚନା ଦେଇଥିବା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଧୁ ତିର୍କି କହିଛନ୍ତି। ଅପରେସନ ଲୋଟସ ଦାନା ବାନ୍ଧିବା ଆଶଙ୍କାରେ ଜେଏମଏମ ଓ କଂଗ୍ରେସ ବିଧାୟକ ଏବେ ବି ଛତିଶଗଡରେ ଡେରା ପକାଇଛନ୍ତି। ୮୧ ଆସନ ବିଶିଷ୍ଟ ବିହାର ବିଧାନସଭାରେ ମେଣ୍ଟର ୪୯ ବିଧାୟକ ଥିବାବେଳେ ବିଜେପିର ୨୬ ବିଧାୟକ ରହିଛନ୍ତି।