ନୂଆଦିଲ୍ଲୀ: ଭାରତ ଡାଲି ପରେ ଭାରତ ଅଟା ସୁଲଭ ଦରରେ ଯୋଗାଇ ଦେବେ କେନ୍ଦ୍ର ସରକାର । ସାରା ଦେଶରେ ୨୭ଟଙ୍କା ୫୦ପଇସାରେ ପ୍ରତି କେଜି ପ୍ରତି ମିଳିବ ଭାରତ ଅଟା ।ଏନେଇ ଆଜି କେନ୍ଦ୍ର ଯୋଗାଣ ମନ୍ତ୍ରୀ ପୀୟୁଷ ଗୋୟଲ ଦିଲ୍ଲୀ ଠାରେ ଅଟା ବିତରଣ ଯାନ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।। ଏହି ଅଟାକୁ ୧୦ କେଜି ଏବଂ ୩୦ କେଜି ପ୍ୟାକ୍ରେ ଉପଲବ୍ଧ କରାଯିବ। ସାରା ଦେଶରେ ୨ ହଜାର ଆଉଟଲେଟରେ ଭାରତ ଅଟା ମିଳିବ। ଏହାକୁ ନ୍ୟାସନାଲ୍ ଏଗ୍ରିକଲ୍ଚରାଲ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଘଇୠଋଊ), ନ୍ୟାସନାଲ୍ କୋଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (ଘଉଉୠ), ସଫଲ, ମଦର ଡାଏରୀ ଏବଂ ଅନ୍ୟାନ୍ୟ ସହକାରୀ ସଂସ୍ଥା ମାଧ୍ୟମରେ ବିକ୍ରି କରାଯିବ। କେନ୍ଦ୍ର ମନ୍ତ୍ରୀ ଗୋୟଲ କହିଛନ୍ତି ଯେ ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି। ଉପଭୋକ୍ତା ବ୍ୟାପାର ବିଭାଗ ଅନୁସାରେ, ବର୍ତ୍ତମାନ ଦେଶରେ ଅଟାର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୩୫ ଟଙ୍କା ରହିଛି। ବଜାରରେ ନନ୍-ବ୍ରାଣ୍ଡେଡ୍ ଅଟାର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୩୦ରୁ ୪୦ ଟଙ୍କା ଥିବାବେଳେ ବ୍ରାଣ୍ଡେଡ୍ ଅଟା କିଲୋଗ୍ରାମ ପିଛା ୪୦ରୁ ୫୦ ଟଙ୍କା ହିସାବରେ ବିକ୍ରି ହେଉଛି। ଗହମର କ୍ରମାଗତ ମୂଲ୍ୟ ବୃଦ୍ଧି ହେତୁ ଉତ୍ସବ ସମୟରେ ଅଟା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟୁଛି।