ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ବଅଁରପାଳ ଥାନା ଅନ୍ତର୍ଗତ ନାଲକୋ ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭୋର ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ବୁଢ଼ାପଙ୍କ ଗ୍ରାମର ସୁରେଶ ପ୍ରଧାନ (୩୮) ବୋଲି ଜଣାପଡ଼ିଛି । ଟ୍ରେନଟି ନାଲକୋକୁ କୋଇଲା ନେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ତାଙ୍କର ଗୋଡ଼, ହାତ କଟି ଯାଇଥିବା ବେଳେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି ସେ ନେଇ ତଦନ୍ତ ଚଳାଇଛି ପୋଲିସ। ସେପଟେ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ମୃତକଙ୍କ ପରିବାର ସମେତ ସ୍ଥାନୀୟ ଗ୍ରାମବାସୀ ରେଳ ଲାଇନ ଉପରେ ଧାରଣାରେ ବସିଥିଲେ । ତେବେ ବଅଁରପାଳ ଥାନା ଆଇଆଇସି ଅନୁଧ୍ୟାନ କରିବା ସହ ଲୋକଙ୍କୁ ବୁଝାସୁଝା କରିବା ସହ ବଅଁରପାଳ ଥାନାରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ମୃତକଙ୍କ ପରିବାରକୁ ନାଲକୋ ପକ୍ଷରୁ କ୍ଷତିପୂରଣ ଏବଂ ତାଙ୍କ ପତ୍ନୀଙ୍କୁ ଠିକା ନିଯୁକ୍ତି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି ।