(ଓମ୍ ପ୍ରକାଶ ମିଶ୍ର / ସୋନପୁର): ତାଙ୍କ ତୂଳିରେ ରହିଛି ଯାଦୁ । ପ୍ରକୃତିର ସବୁ ରଙ୍ଗକୁ କାନଭାସରେ ବୋଳି ଚାଲନ୍ତି ସୁପ୍ରିୟା । କେବେ ଶୁଣି ନହାଁନ୍ତି ନିଜ ମାଙ୍କ ଡାକ । କେବେ ଡାକି ନାହାନ୍ତି ନିଜ ଭଉଣୀକୁ ନିଜ କଣ୍ଠରେ । ସୁନ୍ଦର ଚେହେରା । ଟିକିଏ ଫୁରସତ ମିଳିଲେ ସଙ୍ଗେ ସଙ୍ଗେ ରଙ୍ଗ ତୂଳି ନେଇ ଟେବୁଲ ଉପରେ ଚିତ୍ର ଆଙ୍ଗିବା ପାଇଁ ବସି ପଡନ୍ତି ସୁପ୍ରୀୟା।ଅତି ସୁନ୍ଦର ଚିତ୍ରକଳା । ଯିଏବି ଦେଖିବ ଘଡିଏ ଅଟକି ଯିବ । କାରଣ ପ୍ରତ୍ୟେକଟି ଚିତ୍ର ସତେ ଯେମିତି ଜୀବନ୍ତ ହୋଇଛି । ସୁପ୍ରିୟା ରଙ୍ଗ ତୂଳି କହେ ଅନେକ କଥା । ଚିତ୍ର ହିଁ ବଖାଣିଥାଏ ତାର ମନର କଥା । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଖାରୀ ଗାଁର ସୁପ୍ରୀୟା ଦାଶଙ୍କ କାହଣୀ । ଗୋଟିଏ କି ଦୁଇଟି ନୁହେଁ ତାଙ୍କ ଘର ଦ୍ୱାରରେ ରହିଛି ଶହଶହ ଚିତ୍ରକଳା । ଭଳିକି ଭଳି ଏସବୁ ଚିତ୍ରକୁ ଦେଖିଲେ ଯେ କେହିବି ପ୍ରଶଂସା ନକରି ରହିପାରି ନାହିଁ । ଟିକିଏ ଫୁରସତ ମିଳିଳେ ରଙ୍ଗ ତୂଳି ନେଇ ଚିତ୍ର ଆଙ୍କିବାରେ ଲାଗିପଡନ୍ତି ସୁପ୍ରୀୟା । ଆଉ ଏହି ଅଭ୍ୟାସ ତାଙ୍କର ପିଲାଦିନରୁ ରହିଛି । ସୁପ୍ରୀୟାଙ୍କ ଚିତ୍ରକୁ କେବଳ ଭାଷାରେ କହିବା ମୁସ୍କିଲ । କେବଳ ହୃଦବୋଧ କରିହୁଏ । ଦେବାଦେବୀଙ୍କ ଚିତ୍ର ହେଉ ଅବା ପ୍ରାକୃତିକ ସୌନ୍ଦର୍ୟ୍ୟର ଚିତ୍ର । ସାମାଜିକ,ଅର୍ଥନୈତିକ କି ସାଂସ୍କୃତିକଯୁକ୍ତ ଚିତ୍ର । ରଙ୍ଗ ତୂଳିରେ ଜୀବନ୍ତ ହୋଇଥିବା ଏହି ଚିତ୍ର ସବୁକୁ ଦେଖିଲେ ସିହରୀ ଓଠେ ଦେହ ଆଉ ମନ । ସୁପ୍ରିୟା ଯୁକ୍ତଦୁଇ କଳାରେ ଉତିର୍ଣ୍ଣ ହୋଇସାରିଛନ୍ତି । ଏବେ ତାଙ୍କର ଆଗ୍ରହ ରହିଛି ଭୂବନେଶ୍ୱରରେ ରହି ଏହି କ୍ଷେତ୍ରରେ ଅଧିକ ତାଲିମ ନେବେ । ହେଲେ ପାରିବାରିକ ଅବସ୍ଥା ସେତେଟା ଭଲ ନଥିବାରୁ ଅସମର୍ଥ ପରିବାର ଲୋକ । ଏଣୁ ସରକାରୀ ସହଯୋଗ ମିଳିଳେ ସୁପ୍ରୀୟାକୁ ଆଗକୁ ପଢିବାରେ ସୁବିଧା ହୁଅନ୍ତା ବୋଲି ପରିବାର ଲୋକ କହିଛନ୍ତି ।