ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳି ମାଡରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ଶହୀଦ ହୋଇଯାଇଛନ୍ତି । ବାରିପଦା ଵନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ସାଥୀଙ୍କୁ ହରାଇ ମର୍ମାହତ । ତଦସହ ଶିମିଳିପାଳ ଅଭୟାରଣ୍ୟରେ କାର୍ୟ୍ୟରତ ବନ କର୍ମଚାରୀଙ୍କ ସୁରକ୍ଷା ନେଇ ସେମାନେ ଏବଂ ତାଙ୍କର ପରିବାର ଲୋକେ ଚିନ୍ତିତ । ଶିମିଳିପାଳ ପାଲଟିଛି ଶିକାରୀଙ୍କ ଭୂସ୍ବର୍ଗ । ଆଗରୁ ନକ୍ସଲଙ୍କ ଭୂସ୍ବର୍ଗ ଥିବା ବେଳେ ଏବେ ରାଜ୍ୟ ଓ ଆନ୍ତଃରାଜ୍ୟ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଛି । ସେମାନଙ୍କ ଅବାଧ ଶିକାରକୁ ରୋକିବାକୁ ଯାଇ ଗୁଳିରେ ଟଳି ପଡୁଛନ୍ତି ନିରସ୍ତ୍ର ବନ କର୍ମଚାରୀ । ଏଭଳି ଦୁଃଖଦ ଅଭାବନୀୟ ଘଟଣା ନେଇ ବାରିପଦା ଵନକର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ସେମାନଙ୍କ ସୁରକ୍ଷା ନେଇ ୭ ଦଫା ଦାବି ଉପସ୍ଥାପନ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ୩ଟି ଜୋନର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ରାଜ୍ୟ ବନ କର୍ମଚାରୀ ସଂଘର ଅଧ୍ୟକ୍ଷ ଶ୍ରୀ ଖଗେଶ୍ବର ସେଠୀଙ୍କ ସଭାପତିତ୍ବରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଦିବଂଗତ ସାଥୀ ବିମଳ ଜେନାଙ୍କ ଉଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ।ପରେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ବାରିପଦା ସର୍କଲରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଦାବି ଉପସ୍ଥାପନା କରାଯାଇଥିଲା ।ପରେ ୭ ଦଫା ଦାବି ମଧ୍ୟରେ ସାଥୀ ବିମଳ ଜେନାଙ୍କୁ ଶହୀଦ ମାନ୍ୟତା, ୨୫ ଲକ୍ଷ ଟଙ୍କାର ସରକାରୀ ଅନୁକମ୍ପା ରାଶି ପ୍ରଦାନ, ଦୋଷୀଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ, ଏସଏସଏଫ ଗଠନ, ଏସଏସଏଫ ଗଠନ ନହେଲା ପର୍ୟ୍ୟନ୍ତ ଠାକୁରମୁଣ୍ଡା, ଯଶିପୁର, ପିଠାବଟା, ପୋଡାଡିହାରେ ୪ ପ୍ଳାଟୁନ ସିଆରପିଏଫ ନିୟୋଜିତ କରିବା, ବନ୍ଧୁକ ଯୋଗାଇବା, ଖାଲିଥିବା ପଦବୀ ପୂରଣ କରିବା, ଓ୍ବାଇଫାଇ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଦାବି ଗୁଡ଼ିକ ଯଦି ଶିଘ୍ର ପୂରଣ କରା ନଥାଏ ତାହାହେଲେ ଜୁନ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ କାମବନ୍ଦ ଆନ୍ଦୋଳନ କରିବେ ବୋଲି ନେତୃବୃନ୍ଦ ନିଷ୍ପତ୍ତି ନେଇଥିଲେ । ଏହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଜଙ୍ଗଲ ବିଭାଗ ମନ୍ତ୍ରୀ, ୫ ଟି ସଚିବ, ଓଡ଼ିଶା ଜଙ୍ଗଲ ବିଭାଗ ସଚିବ, ପିସିସିଏଫ (ସାଧାରଣ) ଓଡ଼ିଶା, ଓ୍ବାଇଲଡ୍ ଲାଇଫ, ଓଡ଼ିଶା, ପିସିସିଏଫ(ବନ୍ୟପ୍ରାଣୀ), ଆରସିସିଏଫ, ବାରିପଦା, ଡେପୁଟି ଡାଇରେକ୍ଟର ଶିମିଳିପାଳ ଉତ୍ତର ଓ ଦକ୍ଷିଣଙ୍କୁ ଲିଖିତ ଦାବିପତ୍ର ପ୍ରଦାନ ମେଲ୍ ଜରିଆରେ ପ୍ରେରଣ କରାଯାଇଛି ।ଏହି ଜରୁରୀକାଳୀନ ବୈଠକରେ ସଭାପତି ଶ୍ରୀ ଖଗେଶ୍ବର ସେଠୀ, ସଂପାଦକ ଅବନୀ କାନ୍ତ ଜେନା, ପ୍ରଶାନ୍ତ କୁମାର ସିଂ ସାମନ୍ତ, ପ୍ରଭାସ ମହାନ୍ତ, ବିକାଶ ଭୁଜବଳ, ଚନ୍ଦ୍ରଭାନୁ ମହାନ୍ତ, ହୃଷିକେଶ ପ୍ରଧାନଙ୍କ ସମେତ ଵନକର୍ମଚାରୀ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।