ବାଲେଶ୍ୱର:- ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ରାତି ୧୦ରୁ ସକାଳ ୬ଟା ଯାଏଁ ଦୋକାନ ବଜାର ବନ୍ଦ ନେଇ ଘୋଷଣା କରାଯାଇଛି । ଅକ୍ଟୋବର ୨୧ ତାରିଖ ଯାଏଁ କଟକଣା ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏନେଇ ନିଷ୍ପତ୍ତି ନେଇଛି । କେବଳ ଜରୁରୀ କାଳୀନ ସେବାକୁ ଛାଡ଼ିଦେଲେ ବାକି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି ହେବା ସହ ଜିଲ୍ଲାପାଳ ଏକ ଚିଠି ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଛନ୍ତି ।

କଟକରେ ଭସାଣୀ ଗଣ୍ଡଗୋଳକୁ ନେଇ କର୍ଫ୍ୟୁ ଲାଗୁ ହୋଇଥିବାବେଳେ ବାଲେଶ୍ୱରରେ ମଧ୍ୟ କର୍ଫ୍ୟୁ ଲାଗୁ ହୋଇଛି ବୋଲି ଏକ ଗୁଜବ ପ୍ରଚାରିତ ହୋଇଥିଲା । ୬ ତାରିଖ ରାତିଠାରୁ ଏମିତି ନିର୍ଦ୍ଦେଶ ନାମା ଜାରି କରାଯାଇଥିବା ବେଳେ ଲୋକଙ୍କ ମନରେ ଏହା ରାତ୍ରି କାଳୀନ କର୍ଫ୍ୟୁ ବୋଲି ଧାରଣା ରହିଥିଲା । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟୀକରଣ ଦିଆଯାଇ ସହରର ବିଭିନ୍ନ ଗଳିକନ୍ଦି ଓ ରାସ୍ତାଘାଟରେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସୂଚନା ଦେବା ସହ ସତେଚନ କରାଯାଇ କୁହାଯାଇଛି ଯେ, ଏହା କୌଣସି କର୍ଫ୍ୟୁ ନୁହଁ ବରଂ ଏହା ଏକ ଗାଇଡଲାଇନ । ଅପରାଧିକ କାର୍ଯ୍ୟକଳାପ ରୋକିବା ଉଦ୍ଦେଶ୍ୟରେ ଏହାକୁ କିଛିଦିନ ପାଇଁ ଲାଗୁ କରାଯାଇଛି ।
