ଜିରେ ନାଇଟ ସେଲିବ୍ରେସନକୁ ନେଇ ତତ୍ପରତା ଦେଖାଇଲା ପ୍ରଶାସନ

ପୁରୀ : ପୁରୀରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷରେ ପର୍ୟ୍ୟଟକ ମାନେ ଯେଉଁଭଳି ସୁଖଦ ଅନୁଭୂତି ନେଇ ଫେରିବେ ସେନେଇ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ହୋଟେଲିୟର ମାନଙ୍କ ସହ ବୈଠକ ହୋଇଛି । ପୁରୀ ଟାଉନ ଥାନା ଠାରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ନୂଆବର୍ଷ ପାଳନ କରିବା ପାଇଁ ପୁରୀ ଆସି ହୋଟେଲରେ ରହୁଥିବା ପର୍ୟ୍ୟଟକଙ୍କ ସମ୍ପୁର୍ଣ୍ଣ ତଥ୍ୟ, ସମସ୍ତ ସିସିଟିଭି କ୍ୟାମେରା କାର୍ୟ୍ୟକାରୀ କରିବା, ସରକାରଙ୍କ ନିୟମ ଅନୁଯାୟୀ ଜିରୋ ନାଇଟ୍ ସେଲିବ୍ରେସନ କରିବା ଉପରେ ଆଲୋଚନା ହୋଇଛି । ପର୍ୟ୍ୟଟକ ଓ ହୋଟେଲିୟର ମାନଙ୍କ କୌଣସି ଅସୁବିଧା ହେଲେ ପୋଲିସର ସହାୟତା ନେବା ପାଇଁ ୧୧୨ ନଂ କୁ କିମ୍ବା ୬୩୭୦୯୬୭୧୦୦ ଚବିଶି ଘଣ୍ଟିଆ ହେଲ୍ପଲାଇନ ନମ୍ବରରେ ଫୋନ କରିପାରିବେ ବୋଲି ଅତିରିକ୍ତ ଏସପି କହିଛନ୍ତି । ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ହୋଟେଲ ମାନଙ୍କରେ ଜିରୋ ନାଇଟ୍ ସେଲିବ୍ରେସନ ବନ୍ଦ ରହିଥିଲା । ତେବେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଜିରୋ ନାଇଟ୍ ସେଲିବ୍ରେସନ ସହ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ୟ୍ୟଟକଙ୍କ ସମାଗମ ହୋଇଛି । ତେଣୁ ଭକ୍ତ ଓ ପର୍ୟ୍ୟଟକଙ୍କ ସୁରକ୍ଷା, ସୁବିଧା ଓ ଗମନାଗମନକୁ ଗୁରୁତ୍ବ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ହୋଟେଲିୟର। ରାଜ୍ୟ ସରକାରଙ୍କ ସମସ୍ତ ନିୟମ ମାନି ହୋଟେଲ ମାନଙ୍କରେ ଜିରୋ ନାଇଟ୍ ସେଲିବ୍ରେସନ କରାଯିବ ବୋଲି ହୋଟେଲିୟର ମାନେ କହିଛନ୍ତି ।