ଏକାଠି ହେଲେ ୧୭୫୨ ଭୂମିହରା ପରିବାର

(ପ୍ରଶାନ୍ତ କୁମାର ସ୍ଵାଇଁ /ପାରାଦ୍ୱୀପ ):ଏକାଠି ହେଲେ ୧୭୫୨ ଭୂମିହରା ପରିବାରର ଲୋକେ।ପ୍ରତି ପରିବାରର ମହିଳା ମାନଙ୍କ ଠାରୁ ଆରମ୍ଭ କରି ପୁରୁଷ ସଦସ୍ୟ ମାନେ ଆଜି ମିଳିତ ହୋଇ ନେଲେ ଦୃଢ ନିଷ୍ପତ୍ତି। ଘଟଣା କ୍ରମ ଅନୁଯାୟୀ ଭାରତୀୟ ତୈଳ ନିଗମ ଦ୍ୱାରା ପାରାଦ୍ୱୀପରେ ନିର୍ମାଣ କରାଯାଇଥିବା ତୈଳ ବିଶୋଧନାଗାର ପ୍ରକଳ୍ପରେ ଅନେକ ଠିକା କମ୍ପାନୀ ମାନେ କାର୍ୟ୍ୟାଦେଶ ନେଇ କାର୍ୟ୍ୟ କରୁଛନ୍ତି।କିନ୍ତୁ ସେଇ ସବୁ କମ୍ପାନୀ ମାନେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ କାର୍ୟ୍ୟ କ୍ଷେତ୍ରରେ ନିଯୁକ୍ତ ନ କରି ବାହାର ରାଜ୍ୟରୁ ଲୋକମାନଙ୍କୁ ଆଣି କାମରେ ନିୟୋଜିତ କରୁଛନ୍ତି। ଯାହା ଫଳରେ ତୈଳ ବିଶୋଧନାଗାର ତଥା ଅନ୍ୟାନ୍ୟ ଛୋଟ ବଡ଼ କମ୍ପାନୀ ଗୁଡ଼ିକ ପାଇଁ ନିଜର ଜମି, ଭିଟାମାଟି, ଜୀବିକା ଓ ନିଜର କୌଳିକ ବୃତ୍ତି ହରାଇଥିବା ସ୍ଥାନୀୟ କୃଷକ ପରିବାର ଏବେ ରୋଜଗାର ହୀନ ହେଇ ନିହାତି ଅସୁବିଧା ଭିତରେ ଗତି କରୁଛନ୍ତି। କମ୍ପାନୀ ମାନଙ୍କର ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନଙ୍କ ପ୍ରତି ଏ ପ୍ରକାର ଅବହେଳା ପ୍ରତିବାଦ ରେ ଆଜି ରଙ୍ଗିଆଗଡ଼ ଠାରେ ପାରାଦ୍ଵୀପ ତୈଳ ବିଶୋଧନାଗାର ଶିଳ୍ପ କାରଖାନା ପାଇଁ ଜମି ହରାଇଥିବା ପରିବାର ମାନଙ୍କୁ ନେଇ ଗଠିତ ହୋଇଥିବା ଭୂମିହରା କୃଷକ ଏକତା ମଞ୍ଚର ଏକ ଗୁରୁତ୍ୱପୂର୍ଣ ବୈଠକ ରଙ୍ଗିଆଗଡ଼ ସ୍ଥିତ ସଙ୍ଘ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଭୂମିହରା ପରିବାରକୁ ଯଦି କୌଣସି କମ୍ପାନୀ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦେବାରେ ଅଣଦେଖା କରନ୍ତି ତେବେ ଆଗକୁ ଭୂମିହରା କୃଷକ ଏକତା ମଞ୍ଚ ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ପାରାଦ୍ଵୀପ ତୈଳ ବିଶୋଧାନାଗାର କାରଖାନାରେ ଏକ ବଡ଼ ୟୁନିଟ କାର୍ୟ୍ୟକାରୀ ହେବାକୁ ଯାଉଥିବାବେଳେ ଏଥିରେ କାର୍ୟ୍ୟ କରିବା ପାଇଁ ବହୁତ ଠିକା କମ୍ପାନୀ ନିୟୋଜିତ ହେବେ। ସେଇ ସବୁ କମ୍ପାନୀ ମାନଙ୍କରେ ବାହାର ରାଜ୍ୟର ଶ୍ରମିକ ମାନଙ୍କୁ ନିଯୁକ୍ତି ଦେଇ ଯଦି ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ପ୍ରାଧାନ୍ୟ ଦିଆ ନଯାଏ ତେବେ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି ସଂଗଠନର ଉପଦେଷ୍ଟା ପ୍ରକାଶ କୁମାର ତ୍ରିପାଠୀ ଓ ନାରୀନେତ୍ରୀ ଶ୍ରୀମତୀ ବୀଣାପାଣି ସାମଲ ପ୍ରକାଶ କରିଛନ୍ତି।