ପ୍ରବାସୀମାନଙ୍କ ପାଇଁ ଟେଷ୍ଟିଂ ଓ ସଂଗରୋଧର ବ୍ୟବସ୍ଥା ସୁନିଶ୍ଚିତ କରାଯାଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମକୁ ସବୁଠାରୁ ଖରାପ ପରିସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ ଏବଂ ସମସ୍ତ ରୋଗୀ ଯେପରି ସମ୍ମାନର ସହିତ ଚିକିତ୍ସା ପାଇବେ, ଏବଂ ପ୍ରତ୍ୟେକ ଜୀବନକୁ ଆମେ ଯେପରି ବଞ୍ଚାଇପାରିବା, ସେଥିପାଇଁ ଆମକୁ ସମସ୍ତ ପ୍ରକାର ଉଦ୍ୟମ କରିବା ଆବଶ୍ୟକ ।  ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍‌ସିଂ ଜରିଆରେ କୋଭିଡ ପରିସ୍ଥିତିର ସମୀକ୍ଷା କରି ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି  ।

ଅନ୍ୟ ରାଜ୍ୟରେ ଯେଉଁଠାରେ   କୋଭିଡ ପରିସ୍ଥିତି ସାଂଘାତିକ ରହିଛି, ସେଠାରୁ ପ୍ରବାସୀମାନେ ଆସିବାର ସମ୍ଭାବନା ଅଛି । ତେଣୁ ଏଥିପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ଆବଶ୍ୟକ। ପୂର୍ବରୁ ଯେଉଁ ପ୍ରୋଟୋକଲ୍‌ ଅନୁଯାୟୀ ପ୍ରବାସୀଙ୍କ ଆଗମନ ପରିଚାଳନା କରାଯାଉଥିଲା, ତାକୁ ବର୍ତ୍ତମାନର ଡାଟାବେସ୍‌ ଅନୁଯାୟୀ ପୁନର୍ବାର କାର୍ଯ୍ୟକାରୀ କରାଯାଉ । ପ୍ରବାସୀମାନଙ୍କ ପାଇଁ ଟେଷ୍ଟିଂ ଓ ସଂଗରୋଧର ବ୍ୟବସ୍ଥା ସୁନିଶ୍ଚିତ କରାଯାଉ।

ଏଥିପାଇଁ ଯେଉଁ ବରିଷ୍ଠ ଅଧିକାରୀମାନେ Observer ଭାବରେ କାର୍ଯ୍ୟ କରୁଛନ୍ତି, ସେମାନେ ଓ ଅନ୍ୟ ଅଧିକାରୀମାନେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସେମାନଙ୍କର ଶ୍ରେଷ୍ଠ ଉଦ୍ୟମ ଜାରି ରଖନ୍ତୁ । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ମୁକାବିଲାକୁ ଜୋରଦାର କରାଯିବ । ମାସ୍କ ବ୍ୟବହାର ସହିତ ସମସ୍ତ କୋଭିଡ ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରାଯିବ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ବଭିନ୍ନ ରାଜ୍ୟର ପରିସ୍ଥିତି ଓ ଓଡିଶାର ପରିସ୍ଥିତି ସଂପର୍କରେ ଏକ ତୁଳନାତ୍ମକ  ଉପସ୍ଥାପନା  ପ୍ରଦାନ କରିଥିଲେ ।   ଦେଶର କୋଭିଡ ପଜିଟିଭ ସଂଖ୍ୟାର ୧.୮୩ ପ୍ରତିଶତ ଏବେ ଓଡିଶାର ବୋଲି ସେ କହିଥିଲେ  ରାଜ୍ୟରେ ଏବେ ସୁସ୍ଥତା ହାର ୯୨.୧୦ ପ୍ରତିଶତ ରହିଛି । ବିଭିନ୍ନ ଜିଲ୍ଲା ମାନଙ୍କରେ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସେ ମୁଖ୍ୟତଃ ଆଲୋକପାତ କରିଥିଲେ।   ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।