ରଣକ୍ଷେତ୍ର ପାଲଟିଲା ଏମ୍ସ ପରିସର, ଲାଗୁ ହେଲା ୧୬୩ ଧାରା

ଭୁବନେଶ୍ଵର: AIIMS ପରିସର ରଣକ୍ଷେତ୍ର। ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ଧାରା ୧୬୩ ଲାଗୁ କରିବା ସତ୍ତ୍ବେ ମଧ୍ୟ ଖାଲି କରିବାକୁ ନାକେଦମ ପୋଲିସ। ବଳଙ୍ଗା ଅଞ୍ଚଳ ଘଟଣାକୁ ନେଇ ଏମ୍ସ ପରିସରରେ ଉତ୍ତେଜନା । ଉତ୍ତେଜନା ପରେ ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ୧୬୩ ଧାରା ଲାଗୁ କରିଛି ପୋଲିସ । ସମ୍ପୂର୍ଣ୍ଣ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ପୋଲିସ । ସେପଟେ ନାରାବାଜି ସହ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି-କଂଗ୍ରେସ । ସୁରକ୍ଷାକୁ ଦୃଷ୍ଟିରେ ରଖି AIIMSରେ ୩ ପ୍ଲାଟୁନୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଗତକାଲି ବଳଙ୍ଗା ପୀଡିତା ଏମ୍ସରେ ଚିକିତ୍ସିତ ହେବାକୁ ଯିବା ପରଠାରୁ ଏମ୍ସ ସାମ୍ନାରେ ଲାଗିଥିଲା ବିରୋଧିଙ୍କ ଉତ୍ତେଜନା । ଫଳରେ ଏମ୍ସ କର୍ତ୍ତୃପକ୍ଷ ବର୍ଣ୍ଣ ୟୁନିଟ ଆଗରେ ଲଗାଇଥିଲେ ନୋଟିସ୍ । ହୋହହ୍ଲା କରିବାରୁ ରୋଗୀ ସେବା ପ୍ରଭାବିତ ହେଉଥିବା ନେଇ ନୋଟିସରେ ଉଲ୍ଲେଖ ଥିଲା । କିନ୍ତୁ ଗତକାଲି ରାତିରେ ତାଳି ମାରି ବିରୋଧ ପ୍ରଦର୍ଶନ କରିଥିଲା ବିଜେଡି, ବାମପନ୍ଥୀ ଦଳ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ । କଂଗ୍ରେସ ପକ୍ଷରୁ ବି ପ୍ରତିବାଦ କରାଯାଇଥିଲା । ଘଟଣାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ ଶାସକ ଦଳ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା । ଫଳରେ ଏମ୍ସ ପରିସରରେ ବିଜେପି-ବିଜେଡି-କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ଯେଉଁଥିପାଇଁ ଏମ୍ସ ପରିସରରେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଥିଲା । ତେଣୁ ପୋଲିସ ଏମ୍ସ ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ଧାରା ୧୬୩ ଲାଗୁ କରିଥିଲା ।

ଅନ୍ୟପଟେ ଏବବି ଗୁରୁତର ଅଛି ପୁରୀ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା । ଆସନ୍ତା ୪୮ ଘଣ୍ଟା ପୀଡିତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ, ଏହା ପରେ କିଛି କହି ହେବ । ବର୍ତ୍ତମାନ ଛାତ୍ରୀ ଜଣଙ୍କ ଭେଣ୍ଟିଲେଟରରେ ନାହାନ୍ତି କିନ୍ତୁ ICUରେ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି । ୭୫ ପ୍ରତିଶତ ଶରୀର ପୋଡ଼ିଯାଇଛି, ୨୦/୨୫ ପ୍ରତିଶତ ଛାଡ଼ି ସବୁ ପୋଡ଼ିଛି । ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ । ତେବେ ପୀଡ଼ିତା ଜଣଙ୍କ ଏବେ କଥାବାର୍ତ୍ତା କରୁଛନ୍ତି, ମାନସିକ ଅବସାଦ ରହିଛି । ରକ୍ତଚାପ ମଧ୍ୟ କମ୍‌ ରହିଛି । ଏପରି ପରିସ୍ଥିତିରେ ଏୟାରଲିଫ୍ଚ କରିବା ସମ୍ଭବପର ନୁହେଁ । ତେଣୁ ଆସନ୍ତା ୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ।