ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ବି.ଏଡ୍., ବିଏଚ୍.ଏଡ୍. ଏବଂ ଏମ୍.ଏଡ୍. ପାଠ୍ୟକ୍ରମର ସମସ୍ତ ଆଡମିଶନ ପ୍ରକ୍ରିୟାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରବେଶିକା ପରୀକ୍ଷାକୁ ନେଇ ଆସିଥିବା ଅଭିଯୋଗ ଆଧାରରେ ଏହି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ ।
ତେବେ ପ୍ରବେଶିକା ପରୀକ୍ଷାର ଉତ୍ତର ଗୁଡ଼ିକୁ ପୁନଃଯାଞ୍ଚ କରିବା ପାଇଁ ବିଷୟଭିତ୍ତିକ ବିଶେଷଜ୍ଞ କମିଟି ଗଠନ କରିବାକୁ ରାଜ୍ୟ ଚୟନ ବୋର୍ଡ (SSB)କୁ ନିର୍ଦ୍ଦେଶ ଦିଆଯାଇଛି।। ଏହି ପୁନଃଯାଞ୍ଚ ପ୍ରକ୍ରିୟା ସମାପ୍ତ ନହେବା ପର୍ୟ୍ୟନ୍ତ ଆଡମିଶନ ପ୍ରକ୍ରିୟା ସ୍ଥଗିତ ରହିବ । ସଂଶୋଧିତ ସୂଚୀ ଝଇଗଝ ପୋର୍ଟାଲରେ (https://te.samsodisha.gov.in/) ଆନୁଷ୍ଠାନିକ ପରବର୍ତ୍ତି ସମୟରେ ପ୍ରକାଶିତ ହେବ ଏବଂ ପ୍ରମୁଖ ସମ୍ବାଦପତ୍ର ମାଧ୍ୟମରେ ପ୍ରଚାରିତ ହେବ । ଛାତ୍ର ଏବଂ ଅନୁଷ୍ଠାନଗୁଡ଼ିକୁ ଅପଡେଟ୍ ପାଇଁ କେବଳ ଏହି ସରକାରୀ ଚ୍ୟାନେଲଗୁଡ଼ିକ ଉପରେ ନିର୍ଭର କରିବାକୁ କଡ଼ା ପରାମର୍ଶ ଦିଆଯାଇଛି। ସରକାରଙ୍କ ଯୁଗ୍ମ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସୂଚନା ଏବଂ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ପାଇଁ ପଠାଯାଇଛି।
ଅନ୍ୟପଟେ ଗତକାଲି ବିଏଡ୍ ଭର୍ତ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏନଏସୟୁଆଇ । ଏନଏସୟୁଆଇ ସଭାପତି ଉଦିତ୍ ନାରାୟଣ ପ୍ରଧାନ ଘଟିଥିବା ଗମ୍ଭୀର ଅନିୟମିତତା ସଂପର୍କିତ ତଥ୍ୟ ଉପସ୍ଥାପନା କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ଏବେ ସମଗ୍ର ରାଜ୍ୟରେ ବିଏଡ୍ ପାଇଁ କେବଳ ୨୭୫୦ଟି ସ୍ଥାନ ଅଛି, କିନ୍ତୁ ୧,୨୯,୭୧୨ ରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିଛନ୍ତି ଓ ପରୀକ୍ଷା ଦେଇଛନ୍ତି। ଦୁଃଖର ବିଷୟ ହେଉଛି, ଫଳାଫଳ ପ୍ରକାଶ ଓ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଗମ୍ଭୀର ସନ୍ଦେହ ଓ ଅସନ୍ତୋଷ ଦେଖାଯାଇଛି। ଏଥି ମଧ୍ୟରେ ପ୍ରାର୍ଥୀଙ୍କ ଉତ୍ତରପତ୍ର ଦେଖିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ପାରଦର୍ଶିତା ଉପରେ ପ୍ରଶ୍ନ ଉଠୁଛି।
ବହୁତ ପ୍ରାର୍ଥୀ ସଠିକ୍ ଉତ୍ତର ଦେଲେ ମଧ୍ୟ କମ୍ ଅଙ୍କ ମିଳିଥିବା ବୋଲି ଅନେକ ଅଭିଯୋଗ ମିଳିଛି, ଯାହା ମୂଲ୍ୟାଙ୍କନ ପ୍ରକ୍ରିୟାରେ ତ୍ରୁଟି ସୂଚିତ କରୁଛି। ପ୍ରାର୍ଥୀମାନେ ତାଙ୍କ ଅଭିଯୋଗ ଦାଖଲ କରିବା ପାଇଁ କୌଣସି ଅଧିକାରିକ ଗ୍ରିଭାନ୍ସ ପୋର୍ଟାଲ ଉପଲବ୍ଧ ନଥିବାରୁ ତାଙ୍କର ଅନେକ ଅଭିଯୋଗ ଆଶା ହୋଇ ରହିଛି। ତୁରନ୍ତ ପ୍ରଥମ ଚୟନ ତାଲିକା ପ୍ରକାଶ କରାଯାଇ ଶିକ୍ଷା ପଞ୍ଜିକାକୁ ସାମଞ୍ଜସ୍ୟ କରିବାକୁ ଦାବି କରାଯାଇଥିଲା ।