ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ଏଥିପାଇଁ ବାଲିସାହି – ସମୁଦ୍ରକୂଳ ରାସ୍ତାକୁ ୪୦ ଫୁଟ ଚଉଢା କରିବାକୁ ଚାହୁଁଛି। କାରଣ ଭକ୍ତମାନେ ସିଧାସଳଖ ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ଦର୍ଶନ କରିପାରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ପ୍ରଥମେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିସାହି ଅଞ୍ଚଳର ମୁରବୀ ଶ୍ରେଣୀୟ ଲୋକଙ୍କୁ ଡାକି ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଛି। ପ୍ରଥମେ ଜିଲ୍ଲା ପ୍ରଶାସନ ୬୦ ଫୁଟର ରାସ୍ତା ଚଉଡା କରିବା ଲାଗି ପ୍ରସ୍ତାବ ରଖିଥିଲା।
ହେଲେ ସାହି ଲୋକ କଡା ଆପତ୍ତି ଉଠାଇବାରୁ ୪୦ ଫୁଟ ରଖିବା ଲାଗି ସ୍ଥିର କରିଛି। କିନ୍ତୁ ୩୦ ଫୁଟ ମଧ୍ୟରେ ରାସ୍ତାର ଚଉଡା ରଖିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। କାରଣ ୩୦ ଫୁଟରୁ ଅଧିକ ହେଲେ ଅନେକ ଲୋକଙ୍କ ଘରଦ୍ୱାର ଭଙ୍ଗାଯିବ। ଫଳରେ ଲୋକମାନେ ବେଘର ହୋଇଯିବେ। ଏଥି ସହିତ ଦୋକାନ ଘର, ମଠ ଓ ମନ୍ଦିର ଭଙ୍ଗାଯିବ। ଦୋକାନ ଭଙ୍ଗାଗଲେ ଦୋକାନୀମାନେ ନିଜର ବ୍ୟବସାୟ ହରାଇବା ସହିତ ଜୀବିକା ମଧ୍ୟ ହରାଇବେ। ରାସ୍ତା ପ୍ରଶସ୍ତିକରଣ ଲାଗି ପର୍ଯ୍ୟାୟ କ୍ରମେ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହୋଇଛି, କାମ ଶୀଘ୍ର ଆଗେଇବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।
ତେବେ ସେପଟେ ଜଣେ ସାହି ବାସିନ୍ଦା ବୈଠକ ସମ୍ପର୍କରେ ଜଣିନାହୁଁ। କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ୱାରା ବୈଠକ ଡକାଯାଇଛି। ସେଥିରେ ସାହି ଲୋକ ନଥିବା କହିଛନ୍ତି। ସେପଟେ ରାସ୍ତା ପ୍ରଶସ୍ତିକରଣ କଥା ଶୁଣି ରାସ୍ତା ପାଶ୍ୱର୍ରେ ଦୋକାନ କରିଥିବା ବ୍ୟବସାୟୀଙ୍କ ମନରେ ଛନକା ପଶିଯାଇଛି। ରାସ୍ତା ପ୍ରଶସ୍ତ ହେଲେ ଆମ ଦୋକାନ ଭଙ୍ଗାଯିବ। ଫଳରେ ଆମ ଜୀବିକା ଚାଲିଯିବ ବୋଲି ଜଣେ ଖଜା ବ୍ୟବସାୟୀ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନର ମିଟିଂରେ ବାହାର ଯୋଗଦେବାକୁ ନେଇ ସାହି ବାସିନ୍ଦା ଆପତ୍ତି ଉଠାଇଛନ୍ତି। ପ୍ରଥମେ ଥଇଥାନ କରାଯାଇ ପରେ ରାସ୍ତା ପ୍ରଶସ୍ତିକରଣ ହେଉ ବୋଲି ଆଉ କିଛି ସାହି ବାସିନ୍ଦା କହିଛନ୍ତି।