ରାସାୟନିକ କାରଖାନା ବିସ୍ଫୋରଣ; ୮ ଓଡିଆ ମୃତ, ସହାୟତା ରାଶି ଘୋଷଣା

ଭୁବନେଶ୍ବର: ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ ଗତ ମାସ ୩୦ ତାରିଖ ଦିନ ଔଷଧ କାରଖାନାରେ ଘଟିଥିବା ବିସ୍ଫୋରଣରେ ୮ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ୮ ଓଡିଆ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା।

ତେଲେଙ୍ଗାନା ବିସ୍ଫୋରଣରେ ଗଞ୍ଜାମର ତିନିଜଣ, ନବରଙ୍ଗପୁରର ଦୁଇ ଜଣ ଏବଂ କଟକ, ଯାଜପୁର ଓ ବାଲେଶ୍ୱରର ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିବାରକୁ ସହାୟତା ସହ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଥିବା ସିଏମଓ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଗତ ମାସ ୩୦ ତାରିଖ ଦିନ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାର ଏକ ରାସାୟନିକ କାରଖାନାରେ ବଡ଼ଧରଣର ବିସ୍ଫୋରଣ ଘଟିଥିଲା। ଏଥିରେ ପ୍ରାୟ ୪୦ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ପ୍ରାୟ ୩୦ ଜଣ ଶ୍ରମିକ ଆହତ ହୋଇଥିଲେ। ମୃତକମାନଙ୍କ ମଧ୍ୟରେ ୮ ଜଣ ଓଡ଼ିଆ ଶ୍ରମିକ ଥିଲେ।