ଚଣ୍ଡିଗଡ ମ୍ୟାଚରେ ସାଉଥ ଆଫ୍ରିକା ଠାରୁ ହାରିବା ପରେ ଏବେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ଅଣ୍ଡର ୧୯ ଏସିଆ କପରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୨୩୪ ରନରେ ୟୁଏଇକୁ ପରାସ୍ତ କରିଛି ଭାରତୀୟ ଦଳ। ଅଣ୍ଡର ୧୯ ଏସିଆ କପ୍ ୨୦୨୫ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଭାରତ ପ୍ରଥମେ ବ୍ୟାଟିଂ କରି ବୈଭବ ସୂର୍ୟ୍ୟବଂଶୀଙ୍କ ଐତିହାସିକ ୧୭୧ ରନର ଇନିଂସ ବଳରେ ୪୩୩ ରନର ବିଶାଳ ସ୍କୋର କରିଥିଲା। ଜବାବରେ ନିର୍ଦ୍ଧାରିତ ୫୦ ଓଭରରେ କେବଳ ୧୯୯ ରନ କରିପାରିଥିଲା ୟୁଏଇ । ଏହା ଥିଲା ଅଣ୍ଡର ୧୯ ଏସିଆ କପ୍ ୨୦୨୫ର ପ୍ରଥମ ମ୍ୟାଚ୍, ଯେଉଁଥିରେ ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଫ୍ଲପ୍ ହୋଇଥିଲେ। ବୈଭବ ସୂର୍ୟ୍ୟବଂଶୀ ମାତ୍ର ୫୬ ବଲ୍ରେ ତାଙ୍କର ଶତକ ପୂରଣ କରିଥିଲେ। ସେ ମ୍ୟାଚରେ ୯୫ ବଲ୍ରେ ୧୪ଟି ଛକା ଏବଂ ୯ଟି ଚୌକା ମାରି ୧୭୧ ରନ୍ କରିଥିଲେ। ଭାରତ ପକ୍ଷରୁ ବିହାନ ମାଲହୋତ୍ରା ଏବଂ ଆରନ୍ ଜର୍ଜ ଉଭୟ ୬୯ ରନ୍ କରିଥିଲେ। ଏହି ମ୍ୟାଚ୍ରେ ଭାରତ ଅଣ୍ଡର ୧୯ ଦିନିକିଆ କ୍ରିକେଟ୍ ଇତିହାସରେ ତୃତୀୟ ସର୍ବାଧିକ ସ୍କୋର କରିଥିଲା।
ୟୁଏଇକୁ ୨୩୪ ରନ୍ରେ ପରାସ୍ତ କରି, ଭାରତ ଅଣ୍ଡର ୧୯ ଦିନିକିଆ ଇତିହାସରେ ରନ ଦ୍ୱାରା ଚତୁର୍ଥ ବୃହତ ବିଜୟ ହାସଲ କରିଥିଲା। ପୂର୍ବରୁ, ଭାରତର ଅଣ୍ଡର ୧୯ ଦଳ ଇଂଲଣ୍ଡକୁ ୨୩୪ ରନ୍ରେ ପରାସ୍ତ କରିଥିଲା। ଭାରତ ନଅ ଜଣ ବୋଲରଙ୍କୁ ଦଳରେ ସ୍ଥାନ ଦେଇଥିଲା, କେବଳ ଖିଲାନ ପଟେଲଙ୍କ ବ୍ୟତୀତ ଅନ୍ୟ କେହି ପୂରା ଦଶ ଓଭର ବୋଲିଂ କରିନଥିଲେ। ବୈଭବ ସୂର୍ୟ୍ୟବଂଶୀ ମଧ୍ୟ ଦୁଇଟି ଓଭର ବୋଲିଂ କରି ୧୩ ରନ୍ ଦେଇଥିଲେ। ୟୁଏଇ ୬ ୱିକେଟରେ ୫୩ ରନ୍ କରିଥିଲା। ହେଲେ, ପୃଥ୍ୱୀ ମଧୁଙ୍କ ୫୦ ଏବଂ ଉଦ୍ଦିଶ ସୁରିଙ୍କ ଅପରାଜିତ ୭୮ ରନ୍ ପାଇଁ ୟୁଏଇ ୧୯୯ ରନ୍ ରେ ପହଞ୍ଚିପାରିଲା।