ଆଜି ହେଉଛି ପବିତ୍ର ଗୁରୁ ଦିବସ

(ସୌମ୍ୟ ରଂଜନ ସେଠୀ) : ଜୀବନରେ ମାର୍ଗ ଦର୍ଶାଇବା ପାଇଁ, ଖରାପ ରାସ୍ତାରୁ ଭଲ ରାସ୍ତାକୁ ଆଣିବା ପାଇଁ, ଅନ୍ଧକାରରୁ ଆଲୋକ କୁ ଆସିବା ପାଇଁ କେହି ଜଣେ ଦରକାର, ସେଇ ଜଣଙ୍କ ହେଉଛନ୍ତି ଗୁରୁ । ଆଜି ହେଉଛି ପବିତ୍ର ଗୁରୁ ଦିବସ ଆଜି ଦିନଟି ଗୁରୁ ମାନଙ୍କ ପାଇଁ ଉତ୍ସର୍ଗ । ଜିବନ ରେ କେହି ନା କେହି ଗୁରୁ ଥାନ୍ତି ଯାହାଙ୍କ ତତ୍ୱାବଧାନ ରେ ମନୁଷ୍ୟ ଆଗକୁ ଯାଇଥାଏ । କୁହାଯାଏ କି ଗୁରୁବ୍ରହ୍ମା ଗୁରୁବିଷ୍ଣୁ, ଗୁରୁଦେବ ମହେଶ୍ୱର , ଗୁରୁସାକ୍ଷାତ୍ ପରମବ୍ରହ୍ମ , ତସ୍ମୈ ଶ୍ରୀ ଗୁରବେ ନମଃ । ଗୁରୁ ହେଉଛନ୍ତି ସୃଷ୍ଟିକର୍ତା, ସଂହାରକର୍ତା ଓ ପାଳନକର୍ତା ତେଣୁ ଗୁରୁଙ୍କ ବିନା ଜୀବନ ଅସଂପୂର୍ଣ୍ଣ ।

ଆଜି ହେଉଛି ଡଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିନ । ୧୮୮୮ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ୱ । ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା । ଏହାପରଠାରୁ ରାଧାକ୍ରିଷ୍ଣନ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ।

ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫ କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେ ପାଳିତ ହୋଇଆସୁଛି । ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି । ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନୀକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପୂଜା କରାଯାଇଥାଏ । ଗୁରୁମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ । ଆଜି ଗୁରୁ ଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁପୂଜାର ପରମ୍ପରା ଅନୁଷ୍ଠିତ ହୋଇଥାଏ ।