ମାଲକାନଗିରି :- ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶିକ୍ଷକ ବସନ୍ତ କୁମାର ରଣାଙ୍କୁ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ୱର୍ଦ୍ଧନା ପ୍ରଦାନ କରିଛନ୍ତି। ଏହି ଜାତୀୟ ସ୍ତର ସଫଳତାରେ ଜିଲ୍ଲାପାଳ ନିଜର ଖୁସି ବ୍ୟକ୍ତ କରିବା ସହ ଏହା ଆମ ଜିଲ୍ଲା ମାଲକାନଗିରି ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରଣାଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ସେପ୍ଟେମ୍ୱର ୩ରେ ବିଶାଖପାଟଣା ରୁ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୫ରେ ଅର୍ଥାତ୍ ଗୁରୁ ଦିବସ ଅବସରରେ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ରଣା ପୁରସ୍କାର ଗ୍ରହଣ କରିବେ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଜର ଶିକ୍ଷକତା ଜୀଵନ ଆରମ୍ଭ କରିଥିବା ଶ୍ରୀ ରଣା, କୁନି କୁନି ପିଲାଙ୍କ ନିମନ୍ତେ ଅଭିନବ ଶିକ୍ଷା ପଦ୍ଧତି ଆପଣେଇ ଥିଲେ। ମାଲକାନଗିରି ଜିଲ୍ଲାର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ରଣା ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ସେମାନଙ୍କ ପାଇଁ ଉତ୍ସର୍ଗୀକୃତ । ସମଗ୍ର ରାଜ୍ୟରେ କେବଳ ଦୁଇ ଜଣ ଶିକ୍ଷକ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତନ୍ମଧ୍ୟରୁ ଶ୍ରୀ ରଣା ଅନ୍ୟତମ। ୩୦ଟି ଜିଲ୍ଳାର ୯୦ ଜଣ ଶିକ୍ଷକଙ୍କ ମଧ୍ୟରୁ ୬ ଜଣ ଜାତୀୟସ୍ତର ନିମନ୍ତେ ଚୟନ ହୋଇଥିଲେ। ଶ୍ରୀ ରଣା ବିଦ୍ୟାଳୟ ଭିତ୍ତିଭୂମି ର ସୋନ୍ଦର୍ଯ୍ୟକରଣ ଯାହା ଶିଶୁଙ୍କ ଶୈକ୍ଷିକ ବାତାବରଣକୁ ଆହୁରି ଆକର୍ଷଣୀୟ ଓ ମନୋଲଭା କରିଥାଏ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ତତ୍ ସହିତ ଆନନ୍ଦ ଉଲ୍ଲାସ ରେ ଶିଶୁ ଟିଏ କିଭଳି ପାଠ ପ୍ରତି ଆକୃଷ୍ଟ ହୋଇ ପଢ଼ିବ ସେଥିପ୍ରତି ଯତ୍ନବାନ ହୋଇଥିଲେ। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ଶିକ୍ଷା ବିଭାଗ ଯନ୍ତ୍ରୀ ସରୋଜ ସାମନ୍ତରାୟଙ୍କ ସମେତ ଶିକ୍ଷା ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।