ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ସାଇକେଲ ବା ଇ-ସାଇକେଲର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଇଲେକ୍ଟ୍ରିକ ସାଇକେଲର ଚାହିଦା ବଢ଼ିବାରେ ଲାଗିଛି । ଆଉ ଏସବୁକୁ ନଜରରେ ରଖି ସାଇକେଲ ନିର୍ମାତା ଷ୍ଟ୍ରାଇଡର୍ ଏହାର ନୂତନ ସାଇକେଲ ଜିଟା ପ୍ଲସକୁ ଲଞ୍ଚ କରିଛି । ଟାଟା ଏହାର ଇଲେକ୍ଟ୍ରିକ ସାଇକେଲକୁ ଷ୍ଟ୍ରାଇଡର୍ ନାମରେ ଵିକ୍ରି କରୁଛି ।
ଷ୍ଟ୍ରାଇଡର୍ ଜିଟା ପ୍ଲସରେ ଖରାପ ରାସ୍ତା ପାଇଁ କମ୍ପାନୀ ଅତ୍ୟାଧୁନିକ ସସପେନ୍ସ ସିଷ୍ଟମ ଦେଇଛି । ମିଡିଆ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହା ଉପରେ ଦୁଇ ବର୍ଷର ୱାରେଣ୍ଟି ଦେଉଛି। ଏହି ଇଲେକ୍ଟ୍ରିକ୍ ସାଇକେଲରେ ୩୬ ୱାଟ / ୬ଏଏଚ ବ୍ୟାଟେରୀ ଯୋଗାଇ ଦିଆଯାଇଥିବାବେଳେ ଥରେ ଚାର୍ଜ ହୋଇଗଲେ ଏହା ୨୫ କିଲୋମିଟର ପର୍ୟ୍ୟନ୍ତ ଚାଲିବ । ଷ୍ଟ୍ରାଇଡର୍ ଜିଟା ପ୍ଲସ୍ ସହଜରେ ୧୦୦ କିଲୋଗ୍ରାମ ପର୍ୟ୍ୟନ୍ତ ଓଜନ ବହନ କରିପାରିବ ।
ଏହି ସାଇକେଲର ଚାଲିବା ମୂଲ୍ୟ କିଲୋମିଟର ପ୍ରତି ୧୦ ପଇସା ହେବ ଓ ବଜାରରେ ୨୬୯୯୫ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ସାଇକେଲରେ ଉଭୟ ଆଗ ଏବଂ ପଛରେ ଡିସ୍କ ବ୍ରେକ୍ ଦିଆଯାଇଛି । ଚାରି ଘଣ୍ଟା ମଧ୍ୟରେ ଷ୍ଟ୍ରାଇଡର୍ ଜିଟା ପ୍ଲସ୍ ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଉଥିବାବେଳେ ଏହାକୁ ଷ୍ଟ୍ରାଇଡରର ଅଫିସିଆଲ୍ ୱେବସାଇଟରୁ କିଣି ପାରିବେ । ଏହି ସାଇକେଲରେ ୨୫୦ ୱାଟର ଇଲେକ୍ଟ୍ରିକ୍ ମୋଟର ଅଛି । କମ୍ପାନୀ ଅନୁଯାୟୀ, ଷ୍ଟ୍ରାଇଡର୍ ଜିଟା ପ୍ଲସରେ ପୂର୍ବ ମଡେଲ ଅପେକ୍ଷା ଏକ ବଡ ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି । ଷ୍ଟ୍ରାଇଡର୍ ଜିଟା ପ୍ଲସ ହ୍ୟାଣ୍ଡେଲରେ ଏକ ଡିସପ୍ଲେ ରହିଛି । ଏଥିରେ, ବ୍ୟାଟେରୀ ରେଞ୍ଜ ବାବଦରେ ତଥ୍ୟ ଉପଲବ୍ଧ ହେବ ।