ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ପହଞ୍ଚି ସାରିବା ପରେ ପ୍ରଥମ ଅତିଥି ଭବନକୁ ଯାଇଥିଲେ। ସେଠାରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବରଗଡ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସମେତ ସମସ୍ତ ବିଜେପି ବିଧାୟକମାନେ ଶ୍ରୀମତୀ ମୁର୍ମୁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ରାଜ୍ୟ ଅତିଥି ଭବନରେ କିଛି ସମୟ ରହିବା ପରେ ବିଧାନସଭାକୁ ଯାଇଥିଲେ। ବିଧାନସଭାରେ ପହଞ୍ଚିବା ପରେ ତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଶ୍ରମତୀ ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ପରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଶ୍ରୀମତୀ ମୁର୍ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବିଜେଡିର ସମସ୍ତ ବିଧାୟକ ଓ ସାଂସଦଙ୍କ ସହିତ ଆଲୋଚନା କରିଥିଲୋ। ଆଲୋଚନା କରିସାରିବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟିବାର କାର୍ଯ୍ୟକ୍ରମ ରହିଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଅଧଘଣ୍ଟାଏ ଆଲୋଚନା କରିସାରିବା ପରେ ବିମାନ ବନ୍ଦର ଯାଇ ଉତ୍ତର ପ୍ରଦେଶ ଯିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମତୀ ମୁର୍ମୁ ୨୦୦୦ ମସିହାରେ ପ୍ରଥମ କରି ଓଡି଼ଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ପୁର୍ନବାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ନିଜର ପ୍ରଥମ ପାଳିର ବିଧାୟକ ସମୟରେ ବାଣିଜ୍ୟ ଓ ପରିବହନ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୭ ରେ ଶ୍ରେଷ୍ଠ ବିଧାୟିକା ଭାବେ ନୀଳକଣ୍ଠ ପୁରସ୍କାର ପାଇଥିଲେ। ଶ୍ରୀମତୀ ମୁର୍ମୁ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ରହିଥିଲେ।