ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର:  ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଲେ ଗାଡ଼କଣର ବିଚିତ୍ର ପଲେଇ । ଗତକାଲି ରାତି ୯.୩୦ ବେଳେ ଘଟିଛି ଅଘଟଣ। ନାଲକୋ ଛକରେ ବିଚିତ୍ରଙ୍କର ଏକ ଗାଙ୍ଗୁରାମ ଦୋକାନ ଥିଲା । ଧାର ଟଙ୍କା ଫେରାଇବାରେ ବିଳମ୍ବ କରିବାରୁ ବିଚିତ୍ରଙ୍କୁ କେହି ଅପହରଣ କରି କାରରେ ନେଉଥିବା ବେଳେ ବାଣୀବିହାର ନିକଟରେ ଖସିବାକୁ ଉଦ୍ୟମ କରିଥିଲେ । ଗାଡ଼ି ଭିତରେ ଥିବା ଜଣେ ମହିଳା ଓ ପୁରୁଷଙ୍କ ସହ ମୁହାଁମୁହିଁ ହୋଇଥିଲା । ସେତିକିବେଳେ କାରରୁ ଖସିପଡ଼ିଥିଲେ ବିଚିତ୍ର । ଏହାପରେ ଅପରିଚିତ ବ୍ୟକ୍ତିଙ୍କ ବାଇକ ଜରିଆରେ ସେ ଥାନାକୁ ଯିବାକୁ ଚେଷ୍ଟା କଲା ବେଳେ ଥାନା ପରିସରରେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ବିଚିତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଅପହରଣ ଓ ହତ୍ୟା ମାମଲା ରୁଜୁ କଲା ପୋଲିସ।ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସୂଚନା।

ସମସ୍ତ ସିସିଟିଭି ଯାଞ୍ଚ ବି କରାଯାଉଛି । ସନ୍ଦିଗ୍ଧ ଅପହରଣକାରୀ ଶାନ୍ତିପଲ୍ଲୀ ବସ୍ତିର ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି । ଆଜି ମୃତ ଶରୀରର ଶବ ବ୍ୟବଚ୍ଛେଦ କରାଯିବ । ରିପୋର୍ଟ ମିଳିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି । ବିଚିତ୍ର ସେମାନଙ୍କଠାରୁ ୩ ଲକ୍ଷ ଟଙ୍କା ଧାର ନେଇ ଫେରାଉନଥିଲେ । ତେଣୁ ସେମାନେ ତାଙ୍କୁ ପଟିଆରୁ ଧରି ଥାନାକୁ ଆଣୁଥିଲେ । ମାତ୍ର ବାଟରେ ବିଚିତ୍ର କାରରୁ ଡେଇଁ ଦୌଡ଼ିଥିଲେ ଏବଂ ପରେ ଏଭଳି ଅଘଟଣ ଘଟିଛି।