ଦୁର୍ଦ୍ଦାନ୍ତ ମାଓ ନେତ୍ରୀର ଆତ୍ମସମର୍ପଣ

ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ପୋଲିସ ସାମ୍ନାରେ ଆତ୍ମସମର୍ପଣ କରିଛି ସେଣ୍ଟ୍ରାଲ କମିଟି ମେମ୍ବର ତଥା ତେଲେଙ୍ଗାନା ଷ୍ଟେଟ ସେକ୍ରେଟାରୀ ହରିଭୂଷଣର ପତ୍ନୀ ଜାଜାରୀ ସାମ୍ମାକା ଅରଫ ସାରଦା । ତେଲେଙ୍ଗାନାର ଡିଜିପି ନିକଟରେ ସାରଦା ଆତ୍ମସମର୍ପଣ କରିଛି । ୧୯୯୪ ମସିହାରେ ସାରଦା ହରିଭୂଷଣର ନେତୃତ୍ୱରେ ମାତ୍ର ୧୮ ବର୍ଷ ବୟସରେ ମାଓବାଦୀ ପାର୍ଟିରେ ଯୋଗ ଦେଇଥିଲା । ପରେ ୧୯୯୫ ମସିହାରେ ହରିଭୂଷଣକୁ ବାହା ହୋଇ ପାର୍ଟି ମେମ୍ବର ହୋଇଥିଲା ସାରଦା । ପାଣ୍ଡାବା ଦଲମରେ ୧୯୯୬ ପର୍ୟ୍ୟନ୍ତ କାମ କରିଥିଲା । ପରେ ସେ କିନେରା ଦଲମରେ ୧୯୯୭ ମସିହା ଠାରୁ ୧୯୯୮ ମସିହା ପର୍ୟ୍ୟନ୍ତ କମିଟି ମେମ୍ବର ଭାବେ କାର୍ୟ୍ୟ କରିବା ପରେ ଉତ୍ତର ତେଲେଙ୍ଗାନା ସ୍ପେଶାଲ ଜୋନାଲ କମିଟିରେ ପ୍ଲାଟୁନ ମେମ୍ବର ଭାବେ ଜଡିତ ଥିଲା ।
ସ୍ୱାମୀ ହରିଭୂଷଣର ମୃତ୍ୟୁ ପରେ ସେ ଲଗାତାର ପୁଲିସର ଗୁଳିରୁ ବର୍ତ୍ତିଯାଇଛି । ପାର୍ଟିରେ ରହି ସେ ବହୁ କଷ୍ଟ ପାଇଥିବା କହିଛି ମାଓ ନେତ୍ରୀ ସାରଦା । ତେବେ ପାର୍ଟିରେ ରହି ଆଗକୁ କାମ କରିବା କଷ୍ଟ ହୋଇପଡୁଥିବା ବେଳେ ବର୍ତ୍ତମାନ ସରକାରଙ୍କର ଚାଲୁଥିବା ବିଭିନ୍ନ ଉନ୍ନୟନ କାର୍ୟ୍ୟରେ ସାମିଲ ହୋଇ ସହଯୋଗ କରିବ ବୋଲି ସୂଚନା ମିଳିଛି । ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ସେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଅନୁରୋଧ କରିଥିବା ଜଣାପଡିଛି । ସରକାରଙ୍କ ତରଫରୁ ସାରଦାଙ୍କୁ ସମସ୍ତ ସହଯୋଗ କରାଯିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ ମଧ୍ୟ ପ୍ରଦାନ କରାଯିବ ବୋଲି କହିଛି ପୋଲିସ ବିଭାଗ ।