ନୂଆଦିଲ୍ଲୀ:- ବୁଲା କୁକୁର ମାମଲାରେ ଶୁକ୍ରବାର ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ । ଏଣିକି ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲଗାଯିବ ରୋକ୍ । କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କୁକୁରମାନଙ୍କୁ ଖାଇବାକୁ ଦିଆଯିବ । ହିଂସାତ୍ମକ କୁକୁରଙ୍କୁ ନିର୍ଦ୍ଦିଷ୍ଟ ସେଲଟର୍ରେ ରଖାଯିବ। ସାରା ଦେଶରେ ଲାଗୁ ହେବ ଗୋଟିଏ ନିୟମ । ଏନେଇ ସବୁ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ବନ୍ଧ୍ୟାକରଣ, ଟୀକାକରଣ ଓ କୃମିମୁକ୍ତ ମେଡିସିନ ଦିଆଯିବ ପରେ କୁକୁର ମାନଙ୍କୁ ରାସ୍ତା ଉପରକୁ ଛଡାଯିବ । ଜଳାନ୍ତକ ସଂକ୍ରମିତ କିମ୍ବା ଜଳାନ୍ତକ ସଂକ୍ରମିତ ହେବାର ସନ୍ଦେହ କରାଯାଉଥିବା କୁକୁର ଏବଂ ହିଂସାତ୍ମକ ଆଚରଣ କରୁଥିବା କୁକୁରମାନଙ୍କୁ ଖୋଲାରେ ଛଡାଯିବ ନାହିଁ । ବୁଲା କୁକୁର ମାନଙ୍କୁ ସାର୍ବଜନୀନ ସ୍ଥାନରେ ଦିଆଯିବ ନାହିଁ ଖାଦ୍ୟ । ଯେଉଁ ମାନେ ଖାଦ୍ୟ ଦେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ।
ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଏଞ୍ଜାରିଆଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ କୋର୍ଟ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ପକ୍ଷ ରଖି ଏବଂ ସମଗ୍ର ଭାରତରେ ଏହି ମାମଲାର ପରିସରକୁ ବିସ୍ତାର କରିଛନ୍ତି, କେବଳ ଦିଲ୍ଲୀ ଏବଂ ଏନସିଆର ନୁହେଁ, କାରଣ ମାମଲା ଗୁଡ଼ିକ ଅନ୍ୟ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି । ଖଣ୍ଡପୀଠ ପଶୁପାଳନ ବିଭାଗ ଏବଂ ସ୍ଥାନୀୟ ସଂସ୍ଥାର ସମସ୍ତ ସଚିବଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ଉଚ୍ଚ ନ୍ୟାୟାଳୟରୁ ସମାନ ସମସ୍ତ ମାମଲା ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ କରାଯିବ । ସୁପ୍ରିମକୋର୍ଟ କହିଛନ୍ତି “ଯାହାଫଳରେ ଏହି ସମସ୍ୟା ସମ୍ପର୍କରେ ଚୂଡ଼ାନ୍ତ ଜାତୀୟ ନୀତି କିମ୍ବା ନିଷ୍ପତ୍ତି ନିଆଯାଇପାରିବ ।