ନୂଆଦିଲ୍ଲୀ: ନୂତନ ୟୁଜିସି (UGC) ନିୟମକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି। ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ଯୁକ୍ତି ଦେଇ କହିଥିଲେ ଯେ, ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ସୁରକ୍ଷା ପ୍ରଦାନ କରେ, କିନ୍ତୁ ନୂତନ UGC ନିୟମଗୁଡ଼ିକ ଦ୍ୱନ୍ଦ୍ୱପୂର୍ଣ୍ଣ ହେବା ସହ ସମାଜରେ ଭେଦଭାବ ସୃଷ୍ଟି କରୁଛି। ଏହି ନିୟମଗୁଡ଼ିକ କେବଳ OBC, SC ଓ ST ଶ୍ରେଣୀକୁ ଉଦ୍ଦିଷ୍ଟ କରି ତିଆରି ହୋଇଛି ବୋଲି ଓକିଲ ଅଭିଯୋଗ କରିଥିଲେ।

ଆବେଦନକାରୀଙ୍କ ଓକିଲ କହିଥିଲେ ଯେ, ନିୟମ 3(e) ରେ ପୂର୍ବରୁ ଭେଦଭାବର ସ୍ପଷ୍ଟ ପରିଭାଷା ରହିଛି। ତେବେ ନିୟମ 3(c) ର ଆବଶ୍ୟକତା କ’ଣ, ତାହା ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କ ମତରେ, ଏହି ନୂତନ ଧାରା ସମାଜରେ ଭେଦଭାବକୁ ଅଧିକ ପ୍ରୋତ୍ସାହନ ଦେଇପାରେ। ଏହାର ପ୍ରତିଉତ୍ତରରେ ପ୍ରଧାନ ନ୍ୟାୟାଧୀଶ (CJI) ସୂର୍ଯ୍ୟକାନ୍ତ କହିଥିଲେ ଯେ, ଏହି ମାମଲାରେ କେବଳ ଏହା ଦେଖାଯିବ ଯେ ନୂତନ UGC ନିୟମଗୁଡ଼ିକ ସମ୍ବିଧାନର ଧାରା 14 (ସମାନତାର ଅଧିକାର) ସହ ସମନ୍ୱୟରେ ଅଛି କି ନାହିଁ।
ଶୁଣାଣି ସମୟରେ CJI ଏକ ଉଦାହରଣ ଦେଇ ପଚାରିଥିଲେ ଯେ, ଯଦି ଜଣେ ଦକ୍ଷିଣ ଭାରତୀୟ ଛାତ୍ର ଉତ୍ତର ଭାରତର କୌଣସି କଲେଜକୁ ଆସନ୍ତି ଏବଂ ତାଙ୍କ ବିରୁଦ୍ଧରେ ଅନୁପଯୁକ୍ତ ମନ୍ତବ୍ୟ ହୁଏ, ତେବେ ତାହା କ’ଣ ଧାରା 3(e) ଅଧୀନରେ ଆସିବ? ଏହାର ଉତ୍ତରରେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ, ଏପରି ମାମଲା ପାଇଁ ପୂର୍ବରୁ ଥିବା ଧାରା ଯଥେଷ୍ଟ ଏବଂ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ଅଲଗା ଧାରାର ଆବଶ୍ୟକତା ନଥିଲା। ଶୁଣାଣି ପରେ ସୁପ୍ରିମକୋର୍ଟ ନୂତନ UGC ନିୟମ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଆଦେଶ ଅନୁଯାୟୀ, 2012 ମସିହାର ପୂରୁଣା UGC ନିୟମଗୁଡ଼ିକ ଅସ୍ଥାୟୀଭାବେ କାର୍ଯ୍ୟକାରୀ ରହିବ। ସେହିସହିତ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ UGCକୁ ନୋଟିସ୍ ଜାରି କରି 19 ମାର୍ଚ୍ଚ 2026 ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି 19 ମାର୍ଚ୍ଚରେ ହେବ।