ପ୍ରେମ ସମ୍ପର୍କ କୁ ନେଇ ନାବାଳିକାର ଆତ୍ମହତ୍ୟା !

ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା: ଅଳ୍ପ ବୟସରୁ ହୋଇଥିଲା ପ୍ରେମ, ଦୁହେଁ ସ୍ୱପ୍ନ ଦେଖୁଥୁଲେ ଆଗକୁ ସଂସାର ଗଢ଼ିବେ । ହେଲେ ଯେତେବେଳେ ନାବାଳିକା ଜଣଙ୍କ ଯୁବକଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ । ଯୁବକ ଜଣଙ୍କ ମୋବାଇଲରେ ରଖିଥିବା ଉଭୟଙ୍କ ଫଟୋକୁ ଭାଇରାଲ କରି ଦେବାର ଧମକ ଦେଇଥିଲେ । ଏହାପରେ ପରେ ନାବାଳିକା ଜଣଙ୍କ ଯୁବକଙ୍କ କଥାରେ ଡରି ଯାଇ ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏଭଳି ଘଟଣା ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଏମଭି-୭୯ ଥାନା ଶିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଏମପିଭି-୭୦ ଗ୍ରାମରେ ଦେଖିବାକୁ ମିଳିଛି । ଏମଭି-୭୯ ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣଙ୍କ କହିବା ଅନୁଯାୟୀ, ଗତ ଚାରି ପାଞ୍ଚ ବର୍ଷ ହେବ ନାବାଳିକା ଓ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଯୁବକ ଜଣଙ୍କ ନିଜ ମୋବାଇଲରେ ରଖିଥିବା ଉଭୟଙ୍କ ଫଟୋକୁ ଭାଇରାଲ କରିଦେବେ ବୋଲି ଧକମ ଦେବାରୁ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅକ୍ଟୋବର ମାସ ୧୦ ତାରିଖରେ ନାବାଳିକା ବିଷ ପିଇ ଦେଇଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ଝିଅକୁ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ନାବାଳିକା ଜଣଙ୍କ ସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଘରକୁ ଆଣିଥିଲେ । ଏହାପରେ ନାବାଳିକାଙ୍କ ପରିବାର ପକ୍ଷରୁ ଯୁବକଙ୍କ ନାମରେ ଏମଭି-୭୯ ଥାନାରେ ଗତ ୧୮ ତାରିଖରେ ଲିଖିତ ଅଭିଯୋଗ କରାଯାଇଥିଲା । ପରେ ୨୦ ତାରିଖରେ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଅନ୍ୟପଟେ ନାବାଳିକା ଖାଇଥିବା ବିଷର ପ୍ରଭାବରେ କିଛି ଦିନ ପରେ ଗୁରୁତର ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସେଠାରୁ ମାଲକାନଗିରି ସ୍ଥାନାନ୍ତରିତ କରିଥିଲେ । ନାବାଳିକାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ କୋରାପୁଟ ପରେ ବିଶାଖାପାଟଣା ନେଇଥିଲେ । ସେଠାରେ ଡାକ୍ତର ମନା କରିବାରୁ ଝିଅକୁ ଘରକୁ ନେଇ ଆସିଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ପକ୍ଷରୁ ସେହି କେସକୁ ଆଧାର କରି ମୃତ ଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।