ବଲାଙ୍ଗୀର: ବଢୁଛି ବିକୃତ ମାନସିକତାର ଉଦାହରଣ । ଏଥର କିନ୍ତୁ ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ସୁଦପଡା ଫାଟକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରେନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଯୁବକ ଜଣକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ପାରିବାରୁ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମୃତକ ହେଉଛନ୍ତି ବଲାଙ୍ଗୀର ସଦର ବ୍ଲକ କୁଟୁମଡୁଲା ଗାଁର ସୁଦାମ ପଶାୟତ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ବିଇଡି ଛାତ୍ର ସୁଦାମ ପଶାୟତ ପରୀକ୍ଷାରେ ଫେଲ ହୋଇଯିବାରୁ ଏଭଳି ଏକ ନିଷ୍ପତ୍ତି ନେଇଥିବା କହିଛନ୍ତି ସୁଦାମଙ୍କ ପରିବାର ଲୋକେ । ତେବେ ମୃତ୍ୟୁ ପୂର୍ବରୁ ଭାଇ ସଞ୍ଜିତଙ୍କ ପାଇଁ ଏକ ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି ସୁଦାମ ।
ତାଙ୍କ ଲେଖାରେ ସେ କହିଛନ୍ତି ଯେ, ସଂଜିତ ଦାଦା ମୁଁ ନିଜକୁ ବହୁତ ବୁଝାଇଲି, ହେଲେ ପାରିଲିନାହିଁ । ମତେ ନିଜକୁ ବହୁତ ଘୃଣା ଲାଗୁଛି । ମୋ ସ୍ବପ୍ନ ପୂରଣ କରି ପାରିଲି ନାହିଁ , କି ବାପାଙ୍କୁ ଟିକେ ସମ୍ନାନ ଦେଇପାରିଲି ନାହିଁ । ମୁଁ ମଲା ପରେ ମୋ ମାଆକୁ ଟିକେ ଦେଖିବ । ମୋ ମାଆ ମତେ ବହୁତ ଭଲ ପାଏ । ମୁଁ ତାକୁ ଛାଡିକି ଯାଉଛି, ମୋତ କ୍ଷମା କରିଦେବ । ସୁଦପଡା ଟ୍ରେନ ଲାଇନ ବ୍ରିଜରୁ ମୋ ମଲା ଦେହ ନେଇଯିବ। ଦୀର୍ଘ ଦିନ ଧରି ପାଠ ପଢାକୁ ନେଇ ଚିନ୍ତାରେ ରହିଥିଲେ ସୁଦାମ । ଗତକାଲିଠୁ ସେ ଘରୁ କେଉଁଆଡ଼େ ଚାଲିଯାଇଥିଲେ , ଆଉ ଫେରିନଥିଲେ । ଏହାପରେ ଟ୍ରେନ୍ ଲାଇନ୍ରୁ ସୁଦାମଙ୍କ ମୃତଦେହ ଠାବ ହୋଇଛି ।