ସୁବର୍ଣ୍ଣପୁର ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ

ସୁବର୍ଣ୍ଣପୁର ;ଓମ୍ ପ୍ରକାଶ ମିଶ୍ର/;- ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନଙ୍କ ଅଧ୍ଯକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ପୌର ପରିଷଦର କିଛି ଯାନ ପଞ୍ଜିକରଣ ହୋଇ ନଥିବାରୁ ତୁରନ୍ତ ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆ ଯାଇଥିଲା । ଆମ୍ବେଦକର ଛକରୁ ବ୍ଲକ ଛକ ମଧ୍ୟରେ ବେଆଇନ ଭାବେ ଦୋକାନ ଖୋଲିଥିବା ରାସ୍ତାକଡ ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା, ବ୍ଲକ ଛକରେ ପ୍ରତ୍ୟେକ ଦିନ ଏକାଧୂକ ଟ୍ରାଫିକ ଉଲ୍ଲଘଂନ ହେଉଥ‌ିବାରୁ ଏହାକୁ ଗୁରୁତ୍ବ ଦେଇ ଛକରେ ଜଣେ ଏଏଇ ପାହ୍ୟାର ପୁଲିସ ମୁତୟନ କରିବା, ଟ୍ରାଫିକ ଉଲ୍ଲଘଂନକାରୀଙ୍କ ବିରୋଧରେ ଚାଲାଣ କାଟିବାକୁ ବୈଠକରେଆଲୋଚନା ହୋଇଥିଲା । ମାର୍ଚ୍ଚ ଶେଷ ସୁଦ୍ଧା ଜିଲ୍ଲା ରେ ଦୁର୍ଘଟଣା ଜନିତ ୧୦ ଟି ମାମଲାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା । କେବଳ ମାର୍ଚ୍ଚମାସରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ପରିବହନ ବିଭାଗ ପକ୍ଷରୁ ମାର୍ଚ୍ଚ ଶେଷ ସୁଦ୍ଧା ଜିଲ୍ଲା ର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ଆଇନ ଉଲ୍ଲଘଂନ ଅଭିଯୋଗରେ ୨୭୩୪ଟି ମାମଲା ରୁଜୁ କରିଥିବା ବେଳେ ୧୬୧ ଜଣଙ୍କ ଗାଡିଚାଳନା ପ୍ରମାଣପତ୍ର ନିଲମ୍ବନ କରାଯାଇଥିବା ସୂଚନା ଦିଆଯାଇଥିଲା । ବିନା ହେଲମେଟ୍‌ରେ ଗାଡ଼ିଚାଳନା କରୁଥିବା୫୭୫ ମାମଲା ମଧ୍ୟରୁ ୭୬ ଜଣଙ୍କ ଗାଡିଚାଳନା ପ୍ରମାଣପତ୍ର ନିଲମ୍ବନ କରାଯାଇଥିବା ବେଳେ ଆବଶ୍ୟକ‌ତା ଠାରୁ ଅଧିକ ମାଲ ପରିବହନ କରୁଥିବା ୫୭ ମାମଲା ମଧ୍ୟରୁ ୩୦ ଜଣଙ୍କ ଗାଡ଼ିଚାଳନା ପ୍ରମାଣପତ୍ର ନିଲମ୍ବନ କରାଯାଇଛି । ଗାଡିଚାଳନା ସମୟରେ ମୋବାଇଲରେ କଥା ହେଉଥ‌ିବା ୫୬ ମାମଲା ମଧ୍ୟରୁ ୧୮ ଜଣ, ୪୫ ନିଶାଶକ୍ତ ଗାଡିଚାଳକଙ୍କ ମଧ୍ୟରୁ ୨୨ ଜଣ, ମାଲ ପରିବହନ ଗାଡିରେ ଯାତ୍ରୀ ପରିବହନ କରୁଥିବା ୨୭ ମାମଲାରୁ ୧୩ ଜଣଙ୍କ ଗାଡିଚାଳନା ପ୍ରମାଣପତ୍ର ନିଲମ୍ବନ କରାଯାଇଥିବା ଏହି ବୈଠକରେ ସୂଚନା ଦିଆଯାଇଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ ପୁଲିସ ବିଭାଗ ସହ ଶିକ୍ଷା, ସ୍ବାସ୍ଥ୍ୟ, ପୂର୍ବ, ପୌର, ଟ୍ରକ ମାଲିକ ସଂଘ, ଟ୍ରାକ୍ଟର ମାଲିକ ସଂଘ ଆଦି ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ମୋଟରଯାନ ଯାଞ୍ଚ ଅଧିକାରୀ ବିଶ୍ଵରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।