ଏଫ୍‌ଏମ୍‌ ମହାବିଦ୍ୟାଳୟ ଘଟଣା: କଲେଜର ପ୍ରିନ୍ସିପାଲ ଓ ଏଜୁକେସନ ବିଭାଗ HOD ସସ୍‌ପେଣ୍ଡ

ବାଲେଶ୍ଵର: ଏଫ୍‌ଏମ୍‌ ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଅଭାବନୀୟ ଘଟଣା । ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର । ଗୁରୁତର ଅବସ୍ଥାରେ ଉଭୟ ଛାତ୍ରୀ ବାଲେଶ୍ବର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଘଟଣାରେ ବାଲେଶ୍ବର ଏଫ୍‌ଏମ୍‌ କଲେଜର ଅଧ୍ୟାପକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଆତ୍ମାହୁତୀ ଉଦ୍ୟମ କରିଥିବା ଛାତ୍ରୀଙ୍କ ଭାଇ ଆଣିଛନ୍ତି ଏହି ଅଭିଯୋଗ । ଫେବର ମାଗୁଥିଲେ, ନହେଲେ ଫେଲ୍‌ କରିଦେବେ କହୁଥିଲେ ଅଧ୍ୟାପକ ଜଣଙ୍କ । ଅନ୍ୟପଟେ ପାସ୍‌ ଆଉଟ୍‌ କରିଦିଆ ଯିବନି କହି ନିର୍ଯାତନା ଦେଉଥିଲେ ବୋଲି କହିଛନ୍ତି ଗୁରୁତର ଛାତ୍ରୀଙ୍କ ସହପାଠୀ । ଏକ ଛାତ୍ର ସଂଗଠନ ସହ ଥିବାରୁ ବି ହଇରାଣ କରାଯାଉଥିଲା କହିଛନ୍ତି ଛାତ୍ରୀ ।

ଅନ୍ୟପଟେ ଏ ଘଟଣା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାକୁ ନେଇ ସଙ୍ଗେ ସଙ୍ଗେ ଆକ୍ସନ ନେଇଛି ଉଚ୍ଚଶିକ୍ଷା ବିଭାଗ । ବାଲେଶ୍ୱର FM କଲେଜ ପ୍ରିନ୍ସିପାଲ ଓ ଏଜୁକେସନ ବିଭାଗ HODଙ୍କୁ ସସ୍‌ପେଣ୍ଡ କରିଛି ଉଚ୍ଚଶିକ୍ଷା ବିଭାଗ । ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ, HOD ସମୀର ସାହୁ ସସ୍‌ପେଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ ଉଭୟଙ୍କୁ ସସ୍‌ପେଣ୍ଡ କରିଛି ଉଚ୍ଚଶିକ୍ଷା ବିଭାଗ । କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ସୂଚନା ଅନୁସାରେ, ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀ ଜଣକ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି । ଏଫ୍‌ଏମ୍‌ ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଇଛନ୍ତି । ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡି ଯାଇଥିବା ବେଳେ ପ୍ରଥମେ ବାଲେଶ୍ୱର ଓ ପରେ କଟକ ଏବଂ ଏବେ ଭୁବନେଶ୍ଵର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ସେପଟେ ଛାତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଗୁରୁତର ହୋଇଛନ୍ତି । ଅଧ୍ୟାପକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀ ଜଣକ ଧାରଣାରେ ବସିଥିଲେ ବୋଲି ସୂଚନା ମିଳିଛି। ଏହାପରେ ସେ ଏପରି କାଣ୍ଡ କରିଥିବା ନେଇ ସୂଚନା ମିଳିଛି ।

ଜଣେ ସହପାଠୀଙ୍କ କହିବା ଅନୁସାରେ, ଅଧ୍ୟାପକଙ୍କ ଦୁର୍ବ୍ୟବହାର ନେଇ ପ୍ରିନ୍ସିପାଲ ଅଫିସ୍‌କୁ ଦେଖା କରିବାକୁ ଯାଇଥିଲେ କିଛି ସହପାଠୀ । କିନ୍ତୁ ସେଠାରୁ ଆଉ ଫେରି ଦେଖିଲା ବେଳକୁ ଚାମ୍ବର ସମ୍ମୁଖରେ ଜଳୁଥିଲେ ଛାତ୍ରୀ ଜଣଙ୍କ । ହେଲେ ତମାମ ଅଫିସ୍‌ କର୍ମଚାରୀ ଥିଲେ ବି ବଞ୍ଚାଇବାକୁ ଚେଷ୍ଟା କଲେନି । ସାମାନ୍ୟତମ ମାନବିକତା ବି ଦେଖାଇଲେନି । ଆମେ ଦୌଡ଼ି ଯାଇ ସାର୍ଟ ଖୋଲି ଲିଭାଇବାକୁ ଚେଷ୍ଟା କଲୁ । ମାତ୍ର ସେତେବେଳକୁ ପୂରା ଶରୀରରେ ନିଆଁ ଲାଗି ଯାଇଥିଲା ବୋଲି କହିଛନ୍ତି ସହପାଠୀ ଜଣଙ୍କ । ଏଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ ବାଲେଶ୍ବର ଏଫ୍‌ଏମ୍‌ କଲେଜର ଅଭିଯୁକ୍ତ ଅଧ୍ୟାପକଙ୍କୁ ଥାନାରେ ଅଟକ ରଖିଛି । ଏଜୁକେସନ ବିଭାଗର ମୁଖ୍ୟ ସମୀର ସାହୁ ଥାନାରେ ଅଟକ । ସହଦେବଖୁଣ୍ଟା ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ନେଇ ସୂଚନା ମିଳିଛି ।