ଅଭିଯୁକ୍ତମାନେ ଖୁବ୍ ଶୀଘ୍ର ଏକ ଦୃଢ଼ ଏବଂ ସ୍ପଷ୍ଟ ଉତ୍ତର ପାଇବେ

ଜମ୍ମୁ-କାଶ୍ମୀର-: ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ବୁଧବାର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଘଟଣାର ଜବାବ ଦେବା ଲାଗି ଯାହା ଆବଶ୍ୟକ ଏବଂ ଉପଯୁକ୍ତ ସରକାର ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ରାଜନାଥ କହିଛନ୍ତି । ଆକ୍ରମଣକାରୀ ଆତଙ୍କବାଦୀ ଏବଂ ଘଟଣା ପଛର ମାଷ୍ଟରମାଇଣ୍ଡ ଖୁବଶୀଘ୍ର ଉଚିତ ଏବଂ ବଡ଼ ଧରଣର ଜବାବ ପାଇବେ ବୋଲି ସେ ଚେତାବନୀ ଦେଇଛନ୍ତି ।

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଭୀଷଣ ଅସନ୍ତୋଷର ମାହୋଲ ରହିଛି । ସମସ୍ତେ ଆକ୍ରମଣ ପଛରେ ଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରୁଛନ୍ତି । ଏପରି ପରିସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କେବଳ ଦୋଷୀମାନେ ନୁହନ୍ତି, ପରଦା ପଛରେ ଥିବା ଲୋକମାନଙ୍କୁ ବି ଛଡ଼ାଯିବ ନାହିଁ । ସେ କହିଥିଛନ୍ତି, ପହଲଗାମରେ ହୋଇଥିବା ଆକ୍ରମଣରେ ଆମେ ଅନେକ ନିର୍ଦ୍ଦୋଷ ଜୀବନ ହରାଇଛୁ । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ମୁଁ ଦେଶକୁ ଆଶ୍ୱସ୍ତ ଦେଇ କହୁଛି, ଆତଙ୍କବାଦ ପ୍ରତି ଆମର ଶୂନ୍ୟ ସହନଶୀଳତା ନୀତି ଅଛି । ସରକାର ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେବେ। ଆମେ କେବଳ ଏହି କାର୍ଯ୍ୟର ଦୋଷୀମାନଙ୍କ ପାଖରେ ପହଞ୍ଚିବୁ ନାହିଁ ବରଂ ପରଦା ପଛରେ ଥିବା ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିବୁ । ଅଭିଯୁକ୍ତମାନେ ଖୁବ୍ ଶୀଘ୍ର ଏକ ଦୃଢ଼ ଏବଂ ସ୍ପଷ୍ଟ ଉତ୍ତର ପାଇବେ ।