ଏଣିକି ଔଷଧ ଦୋକାନରେ ଇଞ୍ଜେକ୍ସନ ଫୋଡ଼ିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର-: ଏଣିକି ଔଷଧ ଦୋକାନରେ ଦେଇ ହେବନି ଇଞ୍ଜେକ୍ସନ । ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି । ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏହି ମର୍ମରେ ସବୁ ସିଡିଏମଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ । ଔଷଧ ଦୋକାନରେ ରୋଗୀ ଇଞ୍ଜେକ୍ସନ ଫୋଡ଼ିବାକୁ ଅନୁରୋଧ କଲେ ମଧ୍ୟ ଦୋକାନୀଙ୍କୁ ଏପରି ନକରିବାକୁ ବାରଣ କରାଯାଇଛି ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ତାଲିମପ୍ରାପ୍ତ  ସ୍ୱାସ୍ଥ୍ୟକର୍ମୀ ଓ ଆବଶ୍ୟକ ମେଡିକାଲ ସୁବିଧା ଥିବା ସ୍ଥାନରେ ହିଁ ଇଞ୍ଜେକସନ ଦିଆଯିବା ଉଚିତ । ଏହାଫଳରେ କୌଣସି ପାର୍ଶ୍ବପ୍ରତିକ୍ରିୟାର ସାଙ୍ଗେ ସାଙ୍ଗେ ମୁକାବିଲା କରାଯାଇପାରିବ । ଜିଲ୍ଲାସ୍ତରରେ ଏଭଳି ଔଷଧ ଦୋକାନଗୁଡିକର ଯାଞ୍ଚ ସହ ସେମାନଙ୍କୁ ଏଭଳି କାର୍ଯ୍ୟରୁ ବିରତ କରିବା ଲାଗି ସିଡିଏମଓ ପଦକ୍ଷେପ ନିଅନ୍ତୁ ବୋଲି ଚିଠିରେ କୁହାଯାଇଛି ।

ଅଣତାଲିମପ୍ରାପ୍ତ ଓ ନନ୍ ପ୍ରାକ୍ଟିସନରମାନେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ୁଥିବା ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି । ଏହି କାରଣରୁ କିଛି ମାମଲାରେ ରୋଗୀଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ କିଛି ସ୍ଥାନରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତି ରୋକିବାକୁ ନିୟମିତ ସମୟ ବ୍ୟବଧାନରେ ଘରୋଇ ମେଡିସିନ୍ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅପ୍-ଟୁ-ଡେଟ୍ ଅଛି କି ନାହିଁ, ତାହା ଯାଞ୍ଚ ପାଇଁ ସବୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆଗକୁ ଏ ନେଇ କୌଣସି ଅଭିଯୋଗ ଆସେ, ତାହେଲେ  ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ସେହି ଔଷଧ ଦୋକାନଗୁଡିକରେ ଯାଞ୍ଚ କରାଯିବା ସହ ଏହାର ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପଠାଇବାକୁ କୁହାଯାଇଛି ।