ଥମୁଛି ମଣିପୁର ହିଂସା ; କୋହଳ ହେଉଛି କର୍ଫ୍ୟୁ

0

ଇମ୍ଫାଲ : ମଣିପୁରରେ ହିଂସାଘଟଣା ଧିରେ ଧିରେ ଥମୁଛି । ୬ ଦିନ ହେଲା ଚାଲିଥିବା ଏହି ହିଂସା ଘଟଣାରେ ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସର ଯବାନଙ୍କ ଉଦ୍ୟମ ଯୋଗଁ ସ୍ଥିତି ନିୟନ୍ତ୍ରଣାଧିନ ହୋଇଛି । ସେନା ସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ହିଂସା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷାର ସହିତ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରୁଛି । ଅନେକ ସ୍ଥାନରେ ସେନାର ଯବାନମାନେ ବିକ୍ଷୋଭକାରୀଙ୍କ ଆକ୍ରମଣର ଶିକାର ମଧ୍ୟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ୨୩ ହଜାର ଲୋକଙ୍କୁ ସୁରକ୍ଷାର ସହିତ ସ୍ଥାନାନ୍ତର କରାଯାଇଛି । ରାଜ୍ୟର ଦୁଇ ଜିଲ୍ଲା ବିଷ୍ଣୁପୁର ଏବଂ ଚୁରାଚନ୍ଦ୍ରପୁରରେ ସ୍ଥିତି ଉତ୍ତେଜନାପୁର୍ଣ୍ଣ ଥିବାରୁ ସେନାପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି । ସେନା କ୍ୟାମ୍ପରେ ଲୋକମାନଙ୍କୁ ରଖି ସେମାନଙ୍କୁ ସେବା ଯୋଗାଇ ଦିଆଯାଉଛି । ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ସ୍ଥିତିରେ ପରିବର୍ତ୍ତନ ଘଟିଥିବାକୁ ନେଇ ରାତି ୭ଟାରୁ ସକାଳ ୧୦ଟା ପଯ୍ୟନ୍ତ କର୍ଫ୍ୟୁକୁ କୋହଳ ମଧ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏକ ସର୍ବଦଳୀୟ ବୈଠକ ଡକାଇ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ଲାଗି ସବୁ ଦଳର ନେତାଙ୍କ ସହିତ ଆଲୋଚନା କରିଥିଲେ । ୧୦ ହଜାରରୁ ଅଧିକ ସେନା ଏବଂ ଅର୍ଦ୍ଧସାମରିକ ବାହିନିର ଯବାନମାନଙ୍କୁ ଏଠାରେ ମୁତୟନ କରାଯାଇଛି । ସୂଚନା ଅନୁସାରେ ଜାତିଗତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କୁକି ସମ୍ପ୍ରଦାୟ ଏବଂ ମୋଇତି ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ଏହା ହିଂସାର ରୂପ ନେଇଥିଲା । ଏହି ହିଂସାରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି ।