ଭୁବନେଶ୍ୱର: ରାଜ୍ୟରେ ଥିବା ମେଡିକାଲ କଲେଜ ଓ ପିଜି ଇନଷ୍ଟିଚ୍ୟୁଟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଷ୍ଟୁଡେଣ୍ଟ ୱେଲଫେୟାର ଫଣ୍ଡକୁ ରାଜ୍ୟ ସରକାର ଅର୍ଥ ବର୍ଷା କରିଛନ୍ତି । କ୍ରୀଡ଼ା, ସାଂସ୍କୃତିକ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମ ପାଇଁ ୮-୨୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରାଜ୍ୟ ସରକାର ପ୍ରଦାନ କରିବେ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ଶାରୀରିକ ତାଲିମ, କ୍ରୀଡ଼ା, ସାଂସ୍କୃତିକ କାର୍ୟ୍ୟକ୍ରମ, ଯୋଗ-ସଂଗୀତ ଶିକ୍ଷକଙ୍କୁ ଆଉଟସୋସିଂ ନିଯୁକ୍ତି, ଯନ୍ତ୍ରପାତିର ଯନ୍ତ୍ରପାତି କିଣା, ଖେଳ ପଡ଼ିଆ-ଜିମ୍ ଓ ଅନ୍ୟ ମରାମତି, ଗୁରୁତ୍ବପୂର୍ଣ୍ଣ ଦିବସର ପାଳନ, ନିରନ୍ତର ବିଦ୍ୟୁତ ଯୋଗାଣ ପାଇଁ ଜେନ-ସେଟ୍ ଆଦି ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ଯେଉଁ ମେଡିକାଲ କଲେଜ ୫ବର୍ଷ ପୂରଣ କରିଛନ୍ତି ସଂପୃକ୍ତ ଷ୍ଟୁଡେଣ୍ଟ ୱେଲଫେୟାର ଫଣ୍ଡକୁ ୨୦ଲକ୍ଷ ଟଙ୍କା ମିଳିବ । ସେହିପରି ଯେଉଁ ମେଡିକାଲ କଲେଜ ୫ବର୍ଷ ପୂରଣ କରିନାହିଁ ତାହାକୁ ୧୫ ଲକ୍ଷ ଓ ପିଜି ଇନଷ୍ଟିଚ୍ୟୁଟ୍, ଏସ୍ସିବି ଡେଣ୍ଟାଲ୍ କଲେଜ, ମେଣ୍ଟାଲ ହେଲ୍ଥ ଇନଷ୍ଟିଚ୍ୟୁଟ୍, କଟକକୁ ୮ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଇନଷ୍ଟିଚ୍ୟୁଟ୍କୁ ବାର୍ଷିକ ୮ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ଷ୍ଟୁଡେଣ୍ଟ ୱେଲଫେୟାର ଫଣ୍ଡ ସଂପୃକ୍ତ ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷଙ୍କ ନିକଟରେ ରହିବ। ଏଥିପାଇଁ ମେଡିକାଲ କଲେଜ ଓ ପିଜି ଇନଷ୍ଟିଚ୍ୟୁଟ୍ରେ ଏକ କମିଟି ଗଠନ କରାଯିବ। ଏଥିରେ ଡିନ୍ ତଥା ଅଧ୍ୟକ୍ଷ କମିଟିର ଅଧ୍ୟକ୍ଷ ରହିବେ। ଏହାସହ ମେଡିକାଲ କଲେଜର ଅଧୀକ୍ଷକ, ପ୍ରଶାସନିକ ଅଧିକାରୀ, ଷ୍ଟୁଡେଣ୍ଟ ୟୁନିଅନର ଉପଦେଷ୍ଟା, ୟୁନିଅନର ୨ଜଣ ସଦସ୍ୟ ଓ ଆକାଉଣ୍ଟସ୍ ଅଫିସର ଏହାର ସଦସ୍ୟ ଆବାହକ ରହିବେ। କମିଟିର ଅଧ୍ୟକ୍ଷ ଏହି ଫଣ୍ଡରେ ଥିବା ଅର୍ଥର ଖର୍ଚ୍ଚକୁ ପ୍ରତି ମାସରେ ନିରୀକ୍ଷଣ କରିବେ। ଏହାସହ ପ୍ରତି ୬ ମାସରେ ସମୀକ୍ଷା କରିବେ। ସେହିପରି ଡିଏମ୍ଇଟି ବର୍ଷକୁ ଥରେ ପାଣ୍ଠିର ସମୀକ୍ଷା କରିବେ ବୋଲି କୁହାଯାଇଛି।