ପବିତ୍ର ଅଶୋକାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି

ବ୍ୟୁରୋ-: ପବିତ୍ର ଅଶୋକାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଠାକୁରଙ୍କ ସମ୍ପନ୍ନ ହୋଇଛିଭି ବିଶେଷ ଜେଉଡ ଭୋଗ  ନୀତି । ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା । ସନ୍ଧ୍ୟା ଆଳତି ପରେ ଭିତରେ ପାଣିପଡ଼ି ଟେରା ବନ୍ଧା ହୋଇ ରୋଷରେ ସନ୍ଧ୍ୟାଧୂପ ଛେକ ଛାମୁକୁ ଆସିଥିଲା । ସନ୍ଧ୍ୟାଧୂପ ପୂଜା ପରେ ଭିତରେ ପାଣି ପଡ଼ି ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା । ଟେରା ବନ୍ଧା ଯାଇ ଜେଉଡ଼ ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ ଖିରି ଆଦି) ରୋଷରୁ ଆସି ବଲ୍ଲଭ ପିଣ୍ଡିଠାରେ ରଖା ଯାଇଥିଲା । ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ । ୩ଜଣ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରିଥିଲେ। ପାଣି ପଡ଼ି ଧୋପଖାଳ ପରେ ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା। ଏହି ବନ୍ଦାପନାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ । ଏହାପରେ ଅନ୍ୟାନ୍ୟ ନୀତି ବଢିଥିଲା । ଜେଉଡ ଭୋଗ ଏବଂ ଗର୍ଭଉଦକ ବନ୍ଦାପନା ସମ୍ପର୍କରେ ଗବେଷକ କୁହନ୍ତି, ଗର୍ଭବତୀ ନାରୀମାନେ ସୁଖ ପ୍ରସବ ଲାଗି ଜେଉଡ଼ ଫଳ ଖାଇଥାନ୍ତି । ଶ୍ରୀରାମ ନବମୀ ପୂର୍ବଦିନ ଅର୍ଥାତ୍‌ ଅଷ୍ଟମୀରେ ଶ୍ରୀଜଗନ୍ନାଥ କୌଶଲ୍ୟା ରୂପ ଧାରଣ କରି ଜେଉଡ଼ ଭୋଗ ଖାଇଥାନ୍ତି । ମହାପ୍ରଭୁଙ୍କ ଗର୍ଭରେ ଶ୍ରୀରାମଚନ୍ଦ୍ର ରହିଥିବାରୁ ତାଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ । ତାହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ । ଲୀଳାମୟ ଠାକୁରଙ୍କ ଏହା ଏକ ଅଲୌକିକ ଲୀଳା । ଏହା ଏକ ଗୁପ୍ତ ଲୀଳା ହୋଇଥିବାରୁ ଏହି ସମୟରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।