ଭୁବନେଶ୍ଵର: ଓଡ଼ିଶାରେ ଭୋଟର ତାଲିକାକୁ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ଆସନ୍ତା ଏପ୍ରିଲ ୧ ତାରିଖରୁ ସ୍ପେଶାଲ୍ ଇଣ୍ଟେନ୍ସିଭ ରିଭିଜନ (SIR) ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ R. S. Gopalan ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ଭୋଟରଙ୍କ ନାମ ଓ ପିତାଙ୍କ ନାମ ୨୦୦୨ ମସିହାର ଭୋଟର ତାଲିକା ସହିତ ମ୍ୟାପିଂ କରାଯାଇଛି। ବାକି ଥିବା ୧୦ ପ୍ରତିଶତ ମଧ୍ୟରୁ ଅତି କମରେ ୮ ପ୍ରତିଶତ ସଂଶୋଧନ କରାଯିବ ବୋଲି ସେ କହିଛନ୍ତି। ୯୫ ପ୍ରତିଶତ ଲୋକଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହେଲେ ଏସଆଇଆର ପ୍ରକ୍ରିୟା ଆହୁରି ସହଜ ହେବ।
ସହରାଞ୍ଚଳରେ ମ୍ୟାପିଂ କାମ କରିବାରେ କିଛି ସମସ୍ୟା ହେଉଥିବା ସେ କହିଛନ୍ତି। ଭୋଟରମାନେ ECI Net ମୋବାଇଲ ଆପ୍ର କ୍ୟୁଆର କୋଡ୍ ମାଧ୍ୟମରେ ନିଜ ବିବରଣୀ ସହଜରେ ଯାଞ୍ଚ କରିପାରିବେ।ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ୨୦୦୨ ମସିହାର ଭୋଟର ତାଲିକାକୁ ଆଧାର କରି ସଂଶୋଧନ କାର୍ଯ୍ୟ କରାଯିବ। ସେହି ବର୍ଷରେ ଯେଉଁ ବୁଥ୍ରେ ଭୋଟ ଦେଇଥିଲେ, ସେହି ବୁଥ୍ ନମ୍ବର ଜଣାଇଲେ ମଧ୍ୟ ସଂଶୋଧନ କରାଯିବ। ଯଦି କାହାର ପାଖରେ ପୂର୍ବତନ ଭୋଟର ତାଲିକା ନଥାଏ, ତେବେ ସେମାନଙ୍କୁ ୧୧ ନମ୍ବର ବିଶିଷ୍ଟ ଫର୍ମ ପୂରଣ କରିବାକୁ ପଡ଼ିବ। ସେ ଆହୁରି କହିଛନ୍ତି ଯେ ଭୋଟର ତାଲିକା ସ୍ୱଚ୍ଛ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ଯଦି କାହାର ନାମ ଦୁଇଟି କିମ୍ବା ଏକାଧିକ ସ୍ଥାନରେ ଭୋଟର ତାଲିକାରେ ରହିଥାଏ, ତେବେ ସେ ଗୋଟିଏ ସ୍ଥାନରେ ରଖିପାରିବେ। ଏକାଧିକ ସ୍ଥାନରେ ନାମ ରଖିବା ଦଣ୍ଡନୀୟ ଅପରାଧ ବୋଲି ସେ ସଚେତନ କରାଇଛନ୍ତି।