ଭୁବନେଶ୍ୱର: ପାଖେଇ ଆସୁଛି ମାଟ୍ରିକ ପରୀକ୍ଷା । ଆଉ ମାତ୍ର କିଛି ମାସ ପରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଭୟ ଓ ଆଶଙ୍କା ଲାଗି ରହିଥାଏ । ଛାତ୍ରଛାତ୍ରୀମାନେ ଅନେକ ମାନସିକ ଚାପରେ ରହିଥାନ୍ତି । ପିଲାଙ୍କ ସମସ୍ୟାକୁ ବୁଝି ତାହାର ସମାଧାନ କରାଯିବା ଉଛିତ । ତେଣୁ ଛାତ୍ରଛାତ୍ରୀମାନଙ୍କୁ ଏଥିରୁ ମୁକ୍ତ ହେବା ପାଇଁ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) କାର୍ଯାଳୟରେ ଏକ ସ୍ୱତନ୍ତ୍ର ସେଲ ଖୋଲା ହେବାକୁ ଯାଉଛି । ଏହି ସେଲ ଫ୍ରେବୃଆରି ପହିଲାରୁ କାର୍ଯ୍ୟକାରୀ ହେବ ବୋଲି ସୁଚନାରୁ ଜଣାପଡ଼ିଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମସ୍ୟାକୁ ନେଇ ଏହି ସ୍ୱତନ୍ତ୍ର ସେଲରେ ଆଲୋଚନା କରାଯିବ ଓ ଏହାର ସମାଧାନ ପାଇଁ ଏଠାରେ ପରାମର୍ଶ ଦିଆଯିବ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥୀ.ଏସ. କହିଛନ୍ତିଯେ, ପିଲାମାନଙ୍କର ଶିକ୍ଷାଗତ ଉନ୍ନତି ଏବଂ ଦକ୍ଷତା ବିକାଶ ପାଇଁ ପରୀକ୍ଷା ଏକ ପ୍ରକ୍ରିୟା ମାତ୍ର । ଏହାକୁ ନେଇ ମାନସିକ ଚାପଗ୍ରସ୍ତ ହେବା ଅନୁଚିତ । ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ସହ ଚାପକୁ ନିୟନ୍ତ୍ରଣ କରିବାରେ ଏହା ବିଶେଷ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ଓସେପା ରାଜ୍ୟ ପ୍ରକଳ୍ପ ଅନୁପମ ସାହାଙ୍କ ସମେତ ମୋ ସ୍କୁଲ ଅଭିାଯନ, ୟୁନିସେଫ, ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।