ଏଣିକି ଆଉ ଭିଡ଼ରେ ଫସିବନି କି ବାଟରେ ଅଟକିବନି ଏମ୍ସ ଯାଉଥିବା ଆମ୍ବୁଲାନ୍ସ । ରୋଗୀଙ୍କୁ ସଠିକ ସମୟରେ ହସ୍ପିଟାଲରେ ପହଞ୍ଚାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରିଛନ୍ତି ମାଷ୍ଟରପ୍ଲାନ୍ । ଖଣ୍ଡଗିରି ଛକରୁ ଏମ୍ସ ଯାଏ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ତିଆରି ହେବ । ସର୍ଭିସ୍ ରୋଡକୁ ପ୍ରଶସ୍ତ କରାଯିବ । ଯେଉଁଠି ଆବଶ୍ୟକ ପଡିବ, ଡ୍ରେନ୍ ଘୁଞ୍ଚିବ ଓ ଜମି ଅଧିଗ୍ରହଣ ବି ହେବ । ଖଣ୍ଡଗିରି ଛକରୁ ଏମ୍ସ ଯାଏ ପୂରା ରାସ୍ତାକୁ ତିନି-ଲେନ୍ରେ ପରିଣତ କରାଯିବ । ଏଥିରୁ ଗୋଟିଏ ଲେନ୍ ସମ୍ପୂର୍ଣ୍ଣ ଭାବେ ଆମ୍ବୁଲାନ୍ସ ଗମନା ଗମନ ପାଇଁ ରହିବ ।

ଏହି କରିଡରକୁ ହଳଦିଆ ରଙ୍ଗରେ ଚିହ୍ନଟ କରାଯିବ । ଏଥିରେ ଯେଉଁଭଳି ଅନ୍ୟ କୌଣସି ଗାଡି ଚଳାଚଳ ନ କରେ, ସେଥିପାଇଁ ସୁରକ୍ଷାକର୍ମୀ ବି ନିୟୋଜିତ ହେବେ ଏବଂ କିଛି ସ୍ଥାନରେ ସିସି କ୍ୟାମେରା ବି ଲାଗିବ । ଅନ୍ୟଗାଡି ଅମାନିଆ ହୋଇ ଏହି କରିଡରରେ ପଶିଲେ ଜରିମାନା ଆଦାୟ ହେବ । ବୁଧବାର ଏନେଇ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଏମ୍ସର ଚାରିପାଖ ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏମ୍ସକୁ ଆସୁଥିବା ରୋଗୀ ଓ ସାଧାରଣ ଲୋକଙ୍କ ସୁବ୍ୟବସ୍ଥିତ ଗମନାଗମନ ପାଇଁ ଟ୍ରାଫିକ୍ ବ୍ୟବସ୍ଥା ସଜାଡିବା ଓ ଅପରାଧ ରୋକିବା ପାଇଁ ସିସିଟିଭି ଲଗାଇବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
