କାଲିଠୁ ସୋନପୁରର ପ୍ରସିଦ୍ଧ ବଳିଯାତ୍ରା

ସୋନପୁର(ଓମ୍ ପ୍ରକାଶ ମିଶ୍ର) : ଆସନ୍ତା କାଲି ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ସୋନପୁରର ପ୍ରସିଦ୍ଧ ବଳିଯାତ୍ରା ଢୋଲ ମହୁରୀରେ ଗରଜି ଉଠିବ ପ୍ରସିଦ୍ଧ ତନ୍ତ୍ରପୀଠ ସୋନପୁର ସହର । ଚୁଆ, ଦହି, ଦହନାରେ ମହକି ଉଠିବ ସହରରେ ଥିବା ବିଭିନ୍ନ ଦେବୀ ବଳିଯାତ୍ରା। ବୁଢାରଜା,ଘୋଡାଘାଟ ପଡା ରେ ଥିବା ଜୁଡାଖୁମ୍ବ, ସମଲେଶ୍ବରୀ, ଖମ୍ବେଶ୍ଵରୀ ଏବଂ ସୁରେଶ୍ଵରୀ ମନ୍ଦିରରେ ଏହି ବଳିଯାତ୍ରା ଅନୁଷ୍ଠିତ ହେବ। ସୋନପୁର ସହରରେ ଦଶହରା ପର୍ୟ୍ୟନ୍ତ ବଳି ଯାତ୍ରା ଅନୁଷ୍ଠିତ ହୁଏ। ମଙ୍ଗଳବାର ଅକ୍ଟୋବର ୫ ତାରିଖରେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ହୋଇଥିଲେ ମଧ୍ୟ ରାତି ଅମାବାସ୍ୟା କାର୍ୟ୍ୟ ସମାପନ ହେବ ।

ଏହି କାର୍ୟ୍ୟସୂଚୀ ଅନୁସାରେ ପୂଜାର୍ଚ୍ଚନା କରି ଦିନ ସାଢେ ୧୨ଟାରେ ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ମନ୍ଦିରରୁ ସମଲେଇ ମନ୍ଦିରକୁ ବାଉତି ଛତ୍ର ବିଜେ କରିବେ । ରାତି ୧୦ଟାରେ ସମଲେଶ୍ବରୀ ମନ୍ଦିରରେ ପୂଜା ଓ ଉଆଁସ ବଳି ଅନୁଷ୍ଠିତ ହେବ । ରାତିରେ ବାଉତି ଛତ୍ର ସହ ବୁଢାରଜା ପୀଠକୁ ଉଆଁସ ବଳିଙ୍କ ଯାତ୍ରା। ବୁଢାରଜା ପୀଠରେ ପୂଜା ଓ ବଳି ସହ ଭୋରରେ ସମଲେଶ୍ବରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କାର୍ୟ୍ୟକ୍ରମ ରହିଛି। ତେବେ ମଙ୍ଗଳବାର ପ୍ରଭାତରେ ବିଧି ପୂର୍ବକ ସମାନ୍ତରାଳ ଭାବେ ଭଗବତୀଙ୍କ ପୀଠରୁ ଦୁଇଟି ଲଙ୍ଗଳଗାର ବୁଢାରଜାଙ୍କ ପୀଠକୁ ଅଙ୍କା ଯାଇଥାଏ। ସ୍ଥାନୀୟ ସେବାୟତମାନେ ଏହି ଲଙ୍ଗଳଗାରକୁ ଗୁପ୍ତତନ୍ତ୍ର ବୋଲି କୁହନ୍ତି । ଅକ୍ଟୋବର ୧୫ ତାରିଖ ଦଶମୀ ଦିନ ଦଶହରା ବଳି ଅନୁଷ୍ଠିତ ହେବ ।