ସୋନପୁର : ୟୁକ୍ରେନ -ଋଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଋଷର ଆକ୍ରମଣ ୟୁକ୍ରେନ ବାସୀଙ୍କୁ ଯେତିକି ଚିନ୍ତାରେ ପକାଇଛି ସେତିକି ଭାରତ ଏବଂ ଓଡିଶାବାସୀଙ୍କୁ ମଧ୍ୟ ଚିନ୍ତାରେ ପକାଇଦେଇଛି । ଓଡିଶାର ଅନେକ ପିଲା ୟୁକ୍ରେନରେ ଫସିରହିଛିନ୍ତି । ଯେଉଁଥିପାଇଁ ପିଲାଙ୍କ ଅଭିଭାବକ ମାନେ ଚିନ୍ତାରେ ପଡିଯାଇଛନ୍ତି । ସେହିପରି ସୋନପୁରର ଜଣେ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ସୋନପୁର ଅଧ୍ୟାବାସୀ ଦିଲ୍ଲୀପ କୁମାର ବିଶି ଏବଂ ନନ୍ଦିନୀ ବିଶିଙ୍କ ପୁଅ ଆଶିଷ କୁମାର ବିଶି ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢୁଥିଲେ । ୨୪ ବର୍ଷିୟ ଆସିଷ ଖାରକିଭ୍ ନ୍ୟାସନାଲ ମେଡିକାଲ ୟୁନିିଭର୍ସିଟିରେ ଶେଷ ବର୍ଷର ଛାତ୍ର । ପରିବାରର ଲୋକଙ୍କ କହିବା ମୁତାବକ, ଆଶିଷଙ୍କ କେବଳ ଶେଷ ସେମିଷ୍ଟାର ପରୀକ୍ଷା ବାକିଥିଲା । ଆଉ ମାତ୍ର କିଛି ଦିନ ପରେ ଡାକ୍ତରୀ ପାଠ୍ୟକ୍ରମ ଶେଷ ହୋଇଥାନ୍ତା । ବାପା, ମା ଏବଂ ମାମୁଁ ଆଶିଷଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି । ଆଶିଷ ରହୁଥିବା ହଷ୍ଟେଲକୁ ବୋମା ବର୍ଷଣର ଶଦ୍ଦ ମଧ୍ୟ ଶୁଭୁଛି । ତେବେ ପରିସ୍ଥିତିକୁ ଦେଖି ନିକଟସ୍ଥ ଦୋକାନରୁ ସାଙ୍ଗମାନଙ୍କ ସହ କିଛି ଦିନର ଅତ୍ୟାବଶ୍ୟକ ଜିନିଷ କିଣି ଆଣିଛନ୍ତି । ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ ରହୁଥିବା କହିଛନ୍ତ, ଆଶିଷ । ତେବେ ଭାରତୀୟ ଛାତ୍ରଙ୍କ ଭିତରେ ଏକ ଭୟର ବାତାବରଣ ଖେଳିଯାଇଥିବା କହିଛନ୍ତି ସୋନପୁରର ଆଶିଷ ବିଶି । ସୁରକ୍ଷିତ ଭାବେ ଆଶିଷଙ୍କୁ ଆଣିବା ସହିତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରାଇବା ପାଇଁ ରାଜ୍ୟ ତଥା କେନ୍ଦ୍ରସରକାରଙ୍କୁ ଆଶିଷଙ୍କ ମାଆ ଆକୁଳ ନିବେଦନ କରିଛନ୍ତି ।